ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସମ୍ବଲପୁର ସାଂସଦ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ ମସିହାରୁ ସ୍ଥାପିତ ହୋଇଥିଲେ ହେଁ ଦୀର୍ଘ ବର୍ଷ ପରେ ମଧ୍ୟ ବିଦ୍ୟାଳୟର ନିଜସ୍ୱ କୋଠା ନାହିଁ। ସେଥିପାଇଁ ବିଦ୍ୟାଳୟଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛି। ଏତଦବ୍ୟତୀତ ଶିକ୍ଷକ ଓ କର୍ମଚାରୀ ଅଭାବ ସାଙ୍ଗକୁ ଖେଳ ପଡ଼ିଆ, ଲାଇବ୍ରେରୀ, ବିଜ୍ଞାନାଗାର ଆଦି ବିଭିନ୍ନ ଆନୁସଙ୍ଗିକ ସୁବିଧାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ବଞ୍ଚିତ ରହିଛନ୍ତି। ତେଣୁ ବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ, ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ଏବଂ ଶିକ୍ଷକ ନିଯୁକ୍ତି ସହ ବିଦ୍ୟାଳୟକୁ “ହାର୍ଡ ଷ୍ଟେସନ” ମାନ୍ୟତା ଓ ଦେଶର ପୂର୍ବୋତ୍ତର ରାଜ୍ୟ ଭଳି ସମାନ ମାନଦଣ୍ଡରେ ସୁବିଧା ପ୍ରଦାନ ପାଇଁ ଆଜି ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦ ଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସାଂସଦଙ୍କ ଦାବିପତ୍ରର ଯଥାର୍ଥତା ଥିବା ପ୍ରକାଶ କରିବା ସହ ଯଥାଶୀଘ୍ର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଆବଶ୍ୟକତା ପୂରଣ ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ସାଂସଦ ଶ୍ରୀ ଗଙ୍ଗଦେବ ସୂଚନା ଦେଇଛନ୍ତି ।