ୱେଷ୍ଟ ସାଇଡ ସପିଙ୍ଗ ମଲରୁ ଚୋରୀ ଘଟଣାରେ ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାସ୍ଥିତ ୱେଷ୍ଟ ସାଇଡ ସପିଙ୍ଗ ମଲରୁ ଚୋରୀ ଘଟଣାରେ ପୁରୀ ଜିଲ୍ଲା ଡେଲାଙ୍ଗରୁ ଜଣେ ଅଭିଯୁକ୍ତକୁ ଆଜି ଝାରସୁଗୁଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ସପିଙ୍ଗ ମଲରେ କାମ କରୁଥିବା ଜଣେ କର୍ମଚାରୀ ଦେବ ନାୟକ(୨୪)। ଅଭିଯୁକ୍ତଠାରୁ ପୁଲିସ ୧ଲକ୍ଷ ୭୧ହଜାର ଟଙ୍କା, ୪ଟି ଟେବଲେଟ ଓ ଗୋଟିଏ ସିସିଟିଭି ହାର୍ଡଡିସ୍କ ଜବତ କରିଛି। ତେବେ ଅଭିଯୁକ୍ତ ଜଣକର ଭାଇ ବାହାଘର ଥିବାରୁ ସେ ଚୋରୀ କରି ଫେରାର ହୋଇଯାଇଥିଲା ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ମିଳିଥିବା ରିପୋର୍ଟ ମୁତାବକ, ଗତ ୨୫ ତାରିଖରେ ଦେବ ସପିଙ୍ଗ ମଲକୁ କାମ କରିବାକୁ ଯାଇ ସେଠାରେ ଲୁଚି ଯାଇଥିଲା। ମଲ ବନ୍ଦ ହେବା ପରେ ରାତିରେ ସେ ପ୍ରଥମେ ସିସିଟିଭିକୁ ବନ୍ଦ କରିଥିଲା। ପରେ ସେଠାରୁ ମଲରେ ଥିବା ୨ଲକ୍ଷ ୬୦ହଜାର ଟଙ୍କା, ସାମସଙ୍ଗର ୪ଟି ଟେବଲେଟ, ଗୋଟିଏ ସିସିଟିଭି ଡିଭିଆର ମେସିନ ଏବଂ ହାର୍ଡଡିକ୍ସ ଓ ଏକ ଜିଓ ଇଣ୍ଟରନେଟ ମୋଡେମ ଚୋରି କରି ଫାୟାର ଏକଜିଟ ରାସ୍ତା ଦେଇ ଫେରାର ହୋଇଯାଇଥିଲା। ଘଟଣା ପର ଦିନ ମଲ ଖୋଲିବା ପରେ ସେଠାରେ ଚୋରୀ ହୋଇଥିବା ନେଇ ଜଣାପଡ଼ିଥିଲା। ଫଳରେ ମଲର ଷ୍ଟୋର ମ୍ୟାନେଜର ସମିର କୁମାର ବିଶ୍ୱାଳ ଝାରସୁଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଦେବ ନାୟକକୁ ପୁରୀ ଡେଲାଙ୍ଗରୁ ଆଜି ଗିରଫ କରିଛି।