ଖରାପ ରାସ୍ତା ଯୋଗୁ ୩ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ସଇଁନ୍ତଲା,ଟିକ୍ରାପଡ଼ା,ଏନ୍ଏନ୍ଏସ୍: ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଦାବଜୋରି ଗ୍ରାମ ଭିର୍କାପଡ଼ାରେ ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାର ଆବଶ୍ୟକତା ରହିଥିବାବେଳେ ରାସ୍ତା ଅବସ୍ଥା ବେହାଲ ହୋଇଥିବାରୁ ଦୀର୍ଘ ୩ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ପ୍ରଶ୍ନ ଛତ୍ରିଆଙ୍କୁ ବୋହି ଆମ୍ବୁଲାନ୍ସକୁ ଅଣାଯାଇଥିଲା। ଅନ୍ୟପଟେ ଉକ୍ତ ଗ୍ରାମ ପାଇଁ ବସୁଧା ଯୋଜନାରେ ଲୋକଙ୍କ ଘରକୁ ପାଣି ପାଇପ ଲାଇନ କାମ ଆରମ୍ଭ ହୋଇଥିଲେ ମଧ୍ୟ ଅଧପନ୍ତରିଆ ଭାବରେ ପଡ଼ି ରହିଛି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।