- ଭଞ୍ଜନଗର: ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁରେ ସୋରଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ବେଳେ ସେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ହୋଇଛି। ସେ ଶାସକ ଦଳର ବିଧାୟକ ହୋଇଥିବାରୁ ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି।
ସୋମବାର ଥିଲା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ସେଥିପାଇଁ ବିଧାୟକ ଶ୍ରୀ ସ୍ୱାଇଁ ନିଜ ଗାଁ ଅମୃତୁଲୁରେ ହଜାର ହଜାର ଲୋକଙ୍କୁ ନେଇ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏଥିସହ ସ୍ମୃତି ମଣ୍ଡପ ମଧ୍ୟ ଲୋକାର୍ପିତ ହୋଇଥିଲା। ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ନିଜ ନିର୍ବାଚନମଣ୍ଡଳୀର ହଜାର ହଜାର ଲୋକ ଏଥିରେ ସାମିଲ୍ ହୋଇଥିଲେ। ଏଥିରେ କୋଭିଡ୍ ନିୟମକୁ ଜଳାଞ୍ଜଳି ଦିଆଯାଇଥିଲା। ସାମାଜିକ ଦୂରତାର ଧଜିଆ ଉଡିଥିଲା। ବିନା ସାମାଜିକ ଦୂରତାରେ ଲୋକେ ଏକାଠି ବସି ଭୋଜି ଖାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଜେପି ନିନ୍ଦା କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ବିଜେପି ପକ୍ଷରୁ ସୋରଡ଼ା ଥାନାରେ ଏତଲା ଦିଆଯାଇଛି।
ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି- ‘ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆୟୋଜନ କରିଥିଲେ। ଏଥିରେ ୧୦ ହଜାରରୁ ଅଧିକ ଲୋକ ସମବେତ ହୋଇଥିଲେ। ଭୋଜିଭାତ ଆୟୋଜନ କରାଯାଇଥିଲା। ବିଧାୟକ ଏପରି କାର୍ଯ୍ୟ ଆୟୋଜନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସେଥିପାଇଁ ତାଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛୁ। ରାଜ୍ୟ ସରକାର କରିଥିବା କୋଭିଡ୍ ନିୟମ କଣ କେବଳ ଗରିବ ଓ ଖଟିକିଆଙ୍କ ପାଇଁ କରିଛନ୍ତି। ଏହି ନିୟମ କଣ ବିଜେଡି ବିଧାୟକଙ୍କ ପାଇଁ ନୁହେଁ? ନା ବିଧାୟକ ଜାଣିଶୁଣି ଏପରି କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।’