ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ କଲୋନୀରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ମାଜିଷ୍ଟ୍ରେଟ ଏବଂ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ବାରିପଦା ଭଞ୍ଜନଗରର ଦୀପିକା ଦାସ(୨୮) । ଦୀପିକା ବୁନ୍ଦିଆର ତାରକେଶ୍ୱର ଦାସକୁ ଗତ ବର୍ଷ ଜୁନ ମାସରେ ବିବାହ କରିଥିଲେ। ତେବେ ଗତକାଲି ରାତିରେ ତାରକେଶ୍ୱରର ଭିଣୋଇ ଦୀପିକାଙ୍କ ଘରକୁ ଫୋନ କରି ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ। ଏହାସହ ବ୍ରଜରାଜନଗର ପୁଲିସକୁ ମଧ୍ୟ ଜଣାଇଥିଲେ। ତେବେ ଆଜି ଅପରାହ୍ଣରେ ଦୀପିକାଙ୍କ ପରିବାର ଲୋକେ ବୁନ୍ଦିଆ ପହଂଚି ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଇ ହତ୍ୟା କରାଯିବା ପରେ ଝୁଲାଇ ଦିଆଯାଇଛି ବୋଲି ପରିବାର ଲୋକେ କହିଛନ୍ତି। ତେବେ ଏନେଇ ବ୍ରଜରାଜନଗର ଥାନାଧିକାରୀଙ୍କୁ ପଚାରିବାରୁ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମୋର୍ଟମ ରିର୍ପୋଟ ଆସିବା ପରେ ଜଣାପଡ଼ିବ ବୋଲି କହିଛନ୍ତି।