ଦାବି ପୂରଣ ନେଇ ଅଗଷ୍ଟ ପହିଲାରୁ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ

ଦେବଗଡ,ଏନ୍ଏନ୍ଏସ୍: ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ ପକ୍ଷରୁ ୧୦ ଦଫା ଦାବି ପୂରଣ ନେଇ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ରାଜ୍ୟ ସଂଘର ଡାକରାରେ ଦେବଗଡ଼ ଜିଲ୍ଲା ସଂଘ ପକ୍ଷରୁ ଆଜି ପୂର୍ବାହ୍ଣରେ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ ଦେବଗଡ଼ ଜିଲ୍ଲା ସମ୍ପାଦକ ମଦନ ମୋହନା ସାହୁ, ଯୁଗ୍ନ ସମ୍ପାଦକ ଭବାନୀ ଶଙ୍କର ମହାନ୍ତି ଓ କୋଷାଧ୍ୟକ୍ଷ ମୀନାକ୍ଷୀ ପ୍ରଧାନ ଏମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକଙ୍କ କ୍ୟାଡର ପୁନଃନିର୍ଦ୍ଧାରଣ ସହ ପଦବୀ ପରିବର୍ତ୍ତିତ କରିବା, ପଦୋନ୍ନତି ପୂର୍ବରୁ ବୈଷୟିକ ପ୍ରଶିକ୍ଷଣକୁ ବାଧ୍ୟତାମୂଳକ କରିବା, ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ପଦବୀ ପୂରଣ ସମେତ ୧୦ ଦଫା ଦାବି ପୂରଣ ନେଇ ରାଜ୍ୟ ସଂଘ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ସଚିବଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା।

ଫଳରେ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ଆଗାମୀ ଅଗଷ୍ଟ ପହିଲାରୁ ରାଜ୍ୟ ସାରା ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘର ସଦସ୍ୟମାନେ କଳାବ୍ୟାଚ ପରିଧାନ ପୂର୍ବକ କାର୍ଯ୍ୟ କରିବା ନେଇ ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଟୋକନ ଷ୍ଟ୍ରାଇକ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହାପରେ ମଧ୍ୟ କୌଣସି ସୁଫଳ ନମିଳିଲେ ରାଜ୍ୟ ସଂଘର ପରବର୍ତ୍ତୀ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।