ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର, ବାରିପଦା ହସ୍ପିଟାଲରେ ଚିକିତ୍ସା ଜାରି

ବାରିପଦା,ଏନ୍ଏନ୍ଏସ୍: ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦାରେ ଏନକାଉଣ୍ଟର ହୋଇଛି। ସୂଚନା ଅନୁସାରେ କୋର୍ଟର ନିର୍ଦ୍ଦେଶ ଅନୁସାରେ ଆଜି ଚୌଦ୍ୱାର ସର୍କଲ ଜେଲରୁ ବାରିପଦା ଜେଲକୁ ହାଇଦରକୁ ଟ୍ରାନ୍ସଫର କରାଯାଉଥିଲା। ତେବେ ଏହି ସ୍ଥାନାନ୍ତରଣ ପାଇଁ କଟକ ପୁଲିସର ଏକ ଏସକର୍ଟ ଟିମ ଗଠନ ହୋଇଥିଲା। ଏଥିରେ ଜଣେ ଏସଆଇ ଓ ଗୋଟେ ସେକସନ ପୁଲିସ ଅସ୍ତ୍ରଶସ୍ତ୍ର ସହିତ ହାଇଦରକୁ କଟକରୁ ବାରିପଦା ନେଇ ଯାଉଥିଲେ। ବାଟରେ ଯିବା ସମୟରେ ବାରିପଦାର ସିମୁଳିଆ ନିକଟରେ ପ୍ରାୟ ୩ଟା ୨୦ରେ ସେ ପ୍ରକୃତି ଡାକରା ଯୋଗୁଁ ପଦାକୁ ଯିବାକୁ କହିଥିଲା। ପୁଲିସ ଗାଡ଼ି ଅଟକାଇ ତାକୁ ପଦାକୁ ଆଣିଥିଲା। ପଦାକୁ ଆସିବା ପରେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଏସଆଇ ତାଙ୍କୁ ଅଟକାଇବାକୁ ଗୁଳି ଚଳାଇଥିଲେ। ଏଥିରେ ହାଇଦର ପେଟରେ ଗୁଳି ବାଜିଥିଲା। ସେଠାରୁ ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଗୁଳି ଚଳାଇବା ପୂର୍ବରୁ ତାଙ୍କୁ ସତର୍କ କରାଯାଇଥିବା ପୁଲିସ ସୂଚନା ଦେଇଛି।

ଏହା ପୂର୍ବରୁ ସେ କଟକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ସେଠାରୁ ଫେରାର ହୋଇଥିଲେ। ପରେ ପୁଲିସ ଏକ ଅପରେସନ କରି ହାଇଦରକୁ ହାଇଦ୍ରାବାଦରୁ ଗିରଫ କରିଥିଲା।