୨ ରୁ ୬ ବର୍ଷ ଶିଶୁଙ୍କୁ ଟିକା: ଆସନ୍ତା ସପ୍ତାହରୁ ଦ୍ୱିତୀୟ ଡୋଜ ପରୀକ୍ଷଣ କରିବ କୋଭାକ୍ସିନ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ସପ୍ତାହରେ ୨ ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ କରୋନା ଟିକାର ଦ୍ୱିତୀୟ ଡୋଜ ପରୀକ୍ଷଣ କରାଯିବ। କୋଭାକ୍ସିନର ଦ୍ୱିତୀୟ ଡୋଜର ପରୀକ୍ଷଣ କରିବ ଭାରତ ବାୟୋଟେକ। ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେଉଁ ଶିଶୁଙ୍କ ଠାରେ ଦ୍ୱିତୀୟ ଡୋଜର ପରୀକ୍ଷଣ କରାଯିବ ସେମାନେ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି। ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ୬ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ ପୂର୍ବରୁ ଦିଆଯାଇଛି।

ସମସ୍ତ ବୟସ ବର୍ଗର ପରୀକ୍ଷଣ ଶେଷ ହେବା ପରେ ଏକ ମାସ ମଧ୍ୟରେ ଫଳାଫଳ ଆସିବ ବୋଲି ଆଶା କରାଯାଉଛି। ଶିଶୁମାନଙ୍କୁ ବୟସ ଅନୁଯାୟୀ ସେମାନଙ୍କୁ ୩ଟି ପର୍ଯ୍ୟାୟରେ ପରୀକ୍ଷା କରାଯାଏ। ପ୍ରଥମ ପରୀକ୍ଷଣ ୧୨-୧୮ ବର୍ଷ ବୟସରେ ଆରମ୍ଭ ହୋଇଥିଲା। ପରେ ୬-୧୨ ବର୍ଷ ଏବଂ ଏବେ ୨-୬ ବର୍ଷ ବୟସ ଶ୍ରେଣୀରେ ପରୀକ୍ଷା ଚାଲିଛି।