କୋରାପୁଟ,ଏନ୍ଏନ୍ଏସ୍: ତେଲେଙ୍ଗାନାରୁ ୨ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏନେଇ କୋରାପୁଟ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଡା. ଗାୟତ୍ରୀ ଦେବୀ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ସମ୍ବାଇ ପଂଚାୟତର ୨ଜଣ ନାବାଳିକାଙ୍କୁ ତେଲେଙ୍ଗାନାର ୱାରଙ୍ଗଲ ରେଳବାଇ ଷ୍ଟେସନରୁ ଚାଇଲଡ ଲାଇନ ଟିମ୍ ଦ୍ୱାରା ଉଦ୍ଧାର କରାଯାଇ ଓାରଙ୍ଗଲ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ। ଗତ ୧୩ ତାରିଖ ଦିନ ଓାରଙ୍ଗଲ ଶିଶୁ ମଙ୍ଗଳ କମିଟି କୋରାପୁଟ ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀଙ୍କୁ ଶିଶୁଙ୍କର ଉପଯୁକ୍ତ ଠିକଣା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସାମାଜିକ କର୍ମୀ ଗତ ୧୪ ତାରିଖରେ ରିପୋର୍ଟ ଦେଇଥିଲେ। ଶିଶୁଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଓାରଙ୍ଗଲରୁ ସେମାନଙ୍କୁ ଆଣିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ପ୍ରଶାସନ ଚିଠି ପାଇଲା ପରେ ତୁରନ୍ତ ପଦକ୍ଷେପ ନେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ରାଜେଶ କୁମାର ନାୟକ ଓ ମହିଳା କନେଷ୍ଟବଳ ଗତ ୨୦ ତାରିଖରେ ଓାରଙ୍ଗଲ ଗସ୍ତ କରିଥିଲେ ବୋଲି ସୂଚନା ଦେବା ସହ ଉଦ୍ଧାର ହୋଇଥିବା ଶିଶୁମାନେ ଆଜି ଓାରଙ୍ଗଲରୁ ବାହାରିବେ ବୋଲି ସେ ପ୍ରକାଶ କରିଛନ୍ତି।