ଦେଶୀ ମଦ କୋଠି ବନ୍ଦ ଦାବିରେ ଲଖନା ଥାନାକୁ ଘେରିଲେ ଶତାଧିକ ମହିଳା

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ପଞ୍ଚାୟତର କୁଶଦହନା ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରାଯାଉଥିବା ବେଳେ ଗ୍ରାମରୁ ମଦ କୋଠି ଉଛେଦ ପାଇଁ ଶତାଧିକ ମହିଳା ଲଖନା ଥାନାରେ ଅଭିଯୋଗ କରିଛନ୍ତି । କୁସଦହନା ଗ୍ରାମର ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ମଦ କୋଠି ଖୋଲି ମଦ ପାଉଚ ବିକ୍ରି କରାଯାଉଛି। ଗ୍ରାମରେ ଯୁବପୀଢ଼ୀ ଏହାକୁ ପିଇ ଜୀବନ ନଷ୍ଟ କରୁଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିିଛନ୍ତି। ସେହିପରି କୁଶଦହନା ଓ କୁରୁମପୁରୀ ଗ୍ରାମରେ ବିଭିନ୍ନ ପାନ ଦୋକାନରେ ସଟାଖେଳ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଶତାଧିକ ମହିଳା ଲଖନା ଥାନାକୁ ଆସି ଏଏସଆଇ ସହଦେବ ଯୋଶୀଙ୍କୁ ଭେଟି ଗ୍ରାମରେ ସମ୍ପୂର୍ଣ୍ଣ ଭାବରେ ଦେଶୀ ମଦ ଓ ସଟାଖେଳ ବନ୍ଦ କରାଯାଉ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ମହିଳା ସଂଗଠନମାନେ ଲଖନା ଥାନାରେ ଅଭିଯୋଗ କରିବା ବ୍ୟତୀତ ନୂଆପଡ଼ା ଜିଲ୍ଲାପାଳକୁ ଭେଟି ଅଭିଯୋଗ କରିବେ ବୋଲି କହିଛନ୍ତି। ମଦ ବିରୋଧୀ ଆନ୍ଦୋଳନରେ ଗୀତା ମାଝୀ, ତୁଲା ମଳୀକ, ଦୁର୍ଗା ସାହୁ, ମମତା ସାହୁ, କେଶରୀ ମାଝୀ, ପ୍ରେମସିଲା ମଲ୍ଲିକ ଓ ହୁଲେଶ୍ରୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ।