କ୍ରିକେଟ୍ ବେଟିଂ ସମୟରେ ୫ଜଣ ଧରାପଡିଲେ, ଲକ୍ଷାଧିକ ଟଙ୍କା ଓ ବାଇକ ଜବତ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ସହରର ରାଣୀଗୁଡା ଫାର୍ମ ଲକ୍ଷ୍ମୀ ନାରାୟଣ ସାହିରେ ଚାଲିଥିବା ଅନ ଲାଇନ କ୍ରିକେଟ ଆଡ୍ଡା ଉପରେ ଟାଉନ ଥାନା ପୁଲିସ ଚଢ଼ଉ କରିଛି। ଘଟଣାରେ ପୁଲିସ କିଙ୍ଗପିନ ସହ ୫ ଜଣକୁ ଗିରଫ କରିଛି। ଏଥି ସହ ସେମାନଙ୍କ ନିକଟରୁ ୩ ଲକ୍ଷ ୮୭ ହଜାର ଟଙ୍କା, ୩ଟି ବାଇକ ୫ଟି ମୋବାଇଲ ଜବତ କରିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। କ୍ରିକେଟ ବେଟିଂରେ କଲେଜ ଛାତ୍ରଙ୍କ ସମେତ ବହୁ ବ୍ୟବସାୟୀ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣା ପଡ଼ିଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୁଲିସ କେ. ସୂର୍ଯ୍ୟ ରାଓଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ କ୍ରିକେଟ ବେଟିଂ ପ୍ରମାଣ ପାଇବା ପରେ କିଙ୍ଗପିନ ଗୁଣପୁର ଥାନା ସୁଭଦ୍ରାପୁରର ପି. ଈଶ୍ୱର ରାଓ, ରାୟଗଡାର ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ ପଲେଇ, ସତ୍ୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା। କିଙ୍ଗପିନ ପି. ଈଶ୍ୱର ରାଓଙ୍କ ନିକଟରୁ ୨ ଲକ୍ଷ ୫୦ ହଜାର ଏବଂ ଅନ୍ୟ ୪ ଜଣଙ୍କ ନିକଟରୁ ୧ ଲକ୍ଷ ୩୭ ହଜାର ଟଙ୍କା ଜବତ କରିଥିଲା। ଘଟଣାର ତଦନ୍ତ ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି। ଦୀର୍ଘ ଦିନ ହେଲା ସହରର ବିଭିନ୍ନ ସ୍ଥାନରେ ଅତି ସତର୍କତାର ସହ ଅନ ଲାଇନ ବେଟିଂ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା. ଶ୍ରବଣ ବିବେକ ଏମ ଙ୍କ ନିର୍ଦେଶ କ୍ରମେ ପୁଲିସ ଏକ ଟିମ ଗଠନ କରି ନଜର ରଖିଥିଲା।