- ରଗଡ଼ି,ଏନ୍ଏନ୍ଏସ୍: କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ ଚିଙ୍ଗିଡ଼ିପୁର ଗ୍ରାମରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ସ୍ୱାମୀ ଉତକ୍ଷୀପ୍ତ ହୋଇ ତାଙ୍କ ସ୍ତ୍ରୀଙ୍କୁ ଏକ ହାତୁଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାରୀ ସ୍ୱାମୀ ଏନେଇ ନିଜେ ପୁଲସକୁ ସୂଚନା ଦେଇଛନ୍ତି। କୋରେଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ପଠାଇ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ଅଭିଯୁକ୍ତ ଶିକ୍ଷକ ଅରୁଣ କୁମାର ଜେନା ୯ ବର୍ଷ ତଳେ ଜେନାପୁର ଥାନା ଅନ୍ତର୍ଗତ ବଳରାମପୁର ତଳଗଡ଼ ଗ୍ରାମର ବିରାଟ କିଶୋର ମଲ୍ଲିକଙ୍କ ଝିଅ ଦୀପ୍ତିମୟୀ (୩୪)ଙ୍କୁ ବିବାହ କରିଥିଲେ। ଉଭୟଙ୍କର ୫ ବର୍ଷ ଓ ୩ ବର୍ଷର ଦୁଇଟି ପୁଅ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିବା ଶୁଣିବାକୁ ମିଳେ। ଫଳରେ ଦୀପ୍ତିମୟୀ ସମୟେ ସମୟେ ବାପ ଘରେ ଯାଇ ରହୁଥିଲେ। ମଙ୍ଗଳବାର ସକାଳ ସାଢ଼େ ୬ ଟାରେ ଦୀପ୍ତିମୟୀ ଘରେ ଠାକୁର ପୂଜା କରୁଥିବା ସମୟରେ ଅରୁଣ ପଛ ପଟୁ ଏକ ହାତୁଡ଼ିରେ ତାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ପରିବାର ଲୋକେ କୋରେଇ ମେଡିକାଲରେ ପହଞ୍ଚି ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଦୀପ୍ତିମୟୀଙ୍କ ବାପା ଜ୍ୱାଇଁ ଅରୁଣ ତାଙ୍କ ଝିଅକୁ ମାରିଦେଇଥିବା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। କୋରେଇ ଥାନାଧିକାରୀ ରଞ୍ଜିତ ମହାନ୍ତି ଚିଙ୍ଗିଡିପୁର ଯାଇ ପରିବାରର ବୟାନ ରେକର୍ଡ କରିଛନ୍ତି। ପୁଲିସ ପକ୍ଷରୁ ଅଭିଯୁକ୍ତ ଅରୁଣଙ୍କ ବିରୋଧରେ କେସ୍ ନଂ. ୨୦୧/୨୧ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।