- ବଲାଙ୍ଗିର, ଏନଏନଏସ: ବଲାଙ୍ଗିର ସଦର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରାରୋପଣ କରିଥିଲେ। ବୃକ୍ଷରୋପଣ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ ସହ ଶିକ୍ଷା ବିଭାଗର ଭିତ୍ତିଭୂମି ଉପରେ ସବିଶେଷ ଆଲୋଚନା କରିଥିଲେ ବିଧାୟକ। ଗତ ୭ ବର୍ଷ ଭିତରେ ଜିଲ୍ଲାର ଅନେକ ଶିକ୍ଷାଭିତ୍ତିଭୂମିର ନୂତନ ନିର୍ମାଣ ହୋଇଥିଲେ ହେଁ ଜମି ସମସ୍ୟା ତଥା ପାଣ୍ଠିର ଅଭାବ ଯୋଗୁଁ କିଛି ଅଞ୍ଚଳରେ ଥିବା ବିପଦପୂର୍ଣ୍ଣ ସ୍କୁଲ କୋଠାର ପୁନଃନିର୍ମାଣ ହୋଇପାରୁନାହିଁ। ଅନେକ ଶିକ୍ଷା ବିଭାଗ ଜମି ଜବରଦଖଲରେ ଅଛି। ସହର ମଧ୍ୟରେ ଥିବା କିଛି ସ୍କୁଲ ଜାତୀୟ ରାଜପଥ କଡରେ ଥିବାରୁ ସେସବୁର ସ୍ଥାନାନ୍ତରଣ ଜରୁରୀ ହୋଇପଡିଛି। ତେଣୁ ଏସବୁ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ସରକାରଙ୍କୁ ଚିଠି ଲେଖନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା, ଉପଜିଲ୍ଲା ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର, ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ବିଧାୟକଙ୍କ ଶିକ୍ଷା ବିଭାଗ ପ୍ରତିନିଧି ଶିକ୍ଷାବିତ୍ ବାମଦେବ ମିଶ୍ର, ଉପ-ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାଏକ, କୈଳାସ କୁମ୍ଭାର, ସନ୍ଧ୍ୟାରାଣୀ ଧରୁଆ, ମନୋରଞ୍ଜନ ସ୍ୱାଇଁ, ସନ୍ତୋଷ କୁମାର ଦାଶ, ଡ. ପ୍ରଶାନ୍ତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।