ଜେଲ ଗଲେ ଜିନ୍ଦଲ ମୋଟର୍ସ ମାଲିକ ଓ କର୍ମଚାରୀ

ଗ୍ରାହକଙ୍କୁ ଠକେଇ ଅଭିଯୋଗ

  • ଦେବଗଡ଼, ଏନଏନଏସ: ଗ୍ରାହକଙ୍କୁ ଠକେଇ ଅଭିଯୋଗରେ ଆଜି ଦେବଗଡ଼ ପୁଲିସ ଦେବଗଡ଼ ସହରରେ ଖୋଲିଥିବା “ଜିନ୍ଦଲ ମୋଟର୍ସ’ର ମାଲିକ ଓ ଜଣେ ସେଲ ଏକଜିକ୍ୟୁଟିଭଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ଲାଲୁସାହି ବାସିନ୍ଦା ଚନ୍ଦ୍ର ଶେଖର ରାଉତ ୨୦୧୯ ମସିହା ମେ’ ମାସରେ ଜିନ୍ଦଲ ମୋଟର୍ସରୁ ୩୦ ହଜାର ଟଙ୍କା ଡାଉନ ପେମେଣ୍ଟ ଦେଇ ଏକ ବାଇକ କିଣିଥିଲେ। ମାତ୍ର ଦୀର୍ଘବର୍ଷ ଧରି ଉକ୍ତ ଗାଡିର ମାଲିକାନା କାଗଜପତ୍ର ଗ୍ରାହକଙ୍କୁ ନଦେଇ ଦୋକାନ ମାଲିକ ଦିନ ଗଡ଼ାଇ ଚାଲିଥିବାବେଳେ ଉକ୍ତ ଦୋକାନରେ ସେଲ୍ସ ଏକଜିକ୍ୟୁଟିଭଭାବେ କାର୍ଯ୍ୟ କରୁଥିବା ଗୋପୀନାଥ ଓରଫ ଚନ୍ଦନ ଦାଶ ୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ରାଉତଙ୍କୁ ଡାଉନ ପେପେଣ୍ଟ ଫେରାଇ ନୂଆ ଗାଡି ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହାର ସୁଯୋଗରେ ଉକ୍ତ ବାଇକକୁ ଦେବଗଡ଼ ଥାନା ଅନ୍ତର୍ଗତ ଆମ୍ବୁଲପାଣି ଗ୍ରାମର ଦୁଃଖୁ କିଣ୍ଡୋ (୨୩)ଙ୍କୁ ବିକ୍ରି କରିଥିଲେ। ତେବେ ଦୀର୍ଘଦିନ ଧରି ଉକ୍ତ ଦୋକାନ ମାଲିକ ଦୁଃଖୁଙ୍କୁ ମଧ୍ୟ ଗାଡିର କାଗଜପତ୍ର ନଦେଇ ଦିନ ଗଡ଼ାଇ ଚାଲିଥିବାବେଳେ ଦୁଃଖୁ ଘଟଣାର କାରଣ ଖୋଜିବା ବେଳକୁ ଗାଡିର ମାଲିକାନା ଜିନ୍ଦଲ ମୋଟର୍ସ ମାଲିକ ଶ୍ରୀ ଅଗ୍ରୱାଲଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଦୁଃଖୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ପୁଲିସ ଠକେଇ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜିନ୍ଦଲ ମୋଟର୍ସ ମାଲିକ ଉମେଶ ଅଗ୍ରୱାଲ ଓ ସେଲ୍ସ ଏକଜିକ୍ୟୁଟିଭ ଚନ୍ଦନକୁ ଗିରଫ କରି କୋର୍ଟଚାଲାଣ କରିଛଇ।