ମସିନ୍ତା ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

  • ଦେବଗଡ଼, ଏନଏନଏସ: ବାରକୋଟ ବ୍ଲକ ଅନ୍ତର୍ଗତ ମସିନ୍ତା ଗ୍ରାମରୁ ଆଜି ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ଭର୍ତ୍ତି କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ବାରକୋଟ ବ୍ଲକ ଅନ୍ତର୍ଗତ ମସିନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। କିଛି ସମୟ ପାଇଁ ଭୁତ ବୋଲି ମଧ୍ୟ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସାହସ ବାନ୍ଧି ଗ୍ରାମର ଜଣେ ମହିଳା ରାଜେଶ ମାଝୀଙ୍କ ସ୍ତ୍ରୀ ସରସ୍ୱତୀ ମାଝୀ ସ୍ୱାମୀଙ୍କ ସହିତ ଜଙ୍ଗଲ ଭିତରକୁ ପ୍ରବେଶ କରି ଖୋଜାଖୋଜି କରୁଥିବାବେଳେ ଏକ ଗଛମୂଳରୁ ୩ ମାସର ଶିଶୁ ପୁତ୍ର ପଡ଼ିଥିବା ପାଇଥିଲେ। ମାଝୀ ଦମ୍ପତି ଶିଶୁକୁ କୋଳେଇ ନେଇ ଗ୍ରାମର ବୀର୍ସା ଟୁରୀକୁ ରଖିବାକୁ ଦେଇଥିଲେ। ଏ ଘଟଣା ସମ୍ପର୍କରେ ଖବରପାଇ କାଦୋପଡା ସରପଞ୍ଚ ଦମୟନ୍ତୀ ମାଝୀ ଓ ଯୁବ ସ୍ୱେଚ୍ଛାସେବୀ ଯଶୋବନ୍ତ ସାହୁ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ସୂଚନା ଦେଇଥିଲେ। ମଙ୍ଗଳବାର ସକାଳୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର, ଚାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ଓ ଶିଶୁ ଗୃହର ପରାମର୍ଶଦାତ୍ରୀ ସୁଭଦ୍ରା ସାହୁ ୱାରକୋଟ ଥାନା ଏସଆଇ ଦେବବ୍ରତ ନାୟକଙ୍କ ସହ ମସିନ୍ତା ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଜଙ୍ଗଲ ମଧ୍ୟକୁ ଯାଇ ଶିଶୁ ଉଦ୍ଧାର ହୋଇଥିବା ସ୍ଥାନ ନିରୀକ୍ଷଣ କରି ସେଠାରୁ ଶିଶୁର ସଦ୍ୟ ବ୍ୟବହୃତ ହୋଇଥିବା ଏକ ପାମ୍ପର ଜବତ କରିଥିଲେ। କିଛିଦିନ ତଳେ ଶିଶୁଟି ଟିକା ନେଇଥିବା ମଧ୍ୟ ତଦନ୍ତରୁ ଜାଣିବାକୁ ପାଇଲେ। ଶିଶୁକୁ ନିଜ ପାଖରେ ରଖିବାର ଜିଦ ସତ୍ତେ୍ୱ୍ୱ ବୀର୍ସା ଟୁରୀ ପାଖରୁ ଶିଶୁ ପୁତ୍ରକୁ ନିଜ ଅଧୀନକୁ ନେଇ ଶ୍ରୀ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ସମୟରେ ଶିଶୁକୁ ପିମ୍ପୁଡି ଓ ପୋକ କାମୁଡି କ୍ଷତାକ୍ତ କରିଥିବା ଦେଖିବାକୁ ମିଳିଛି। ଆସନ୍ତା ୩୦ ଦିନ ମଧ୍ୟରେ ଯଦି ଶିଶୁକୁ ଗ୍ରହଣ କରିବାପାଇଁ ତାର ଆଇନସିଦ୍ଧ ଦାବିଦାର ନ ଆସନ୍ତି ତେବେ ପୋଷ୍ୟ ଗ୍ରହଣ ଆଇନ ଅନୁଯାୟୀ ଶିଶୁର ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।