ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ା ଗ୍ରାମରେ ଏକ ବେଆଇନ ବିଦେଶୀ ମଦ ଗୋଦାମରେ ଚଢ଼ଉ କରି ରିଆମାଳ ଥାନା ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ରେଙ୍ଗାଲବେଡ଼ା ଗ୍ରାମରେ ବେଆଇନ ମଦ କାରବାର ଚାଲୁଥିବା ସୂଚନା ପାଇ ଉକ୍ତ ଗ୍ରାମରେ ଚଢ଼ଉ କରିଥିଲେ। ରେଙ୍ଗାଲବେଡ଼ା ଗ୍ରାମର ମୁଖ୍ୟ ବଜାରଠାରେ ଏକ ଭେରାଇଟି ଷ୍ଟୋର କରିଥିବା ଉକ୍ତ ଗ୍ରାମର ଅକ୍ଷୟ କୁମାର ସାହୁ(୩୫)ଙ୍କ ଦୋକାନରେ ବିଦେଶୀ ମଦ ଥିବା ଜାଣିପାରି ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଦୋକାନ ପଛପଟେ ଏକ ଗୋଦାମ କରି ବିଭିନ୍ନ ବ୍ରାଣ୍ଡର ମଦ ଗଛିତ ରଖି କାରବାର କରୁଥିବା ଦେଖିପାରି ସେଠାରୁ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୨୭୮ ବୋତଲ ବିଦେଶୀ ମଦ ଜବତ କରିବା ସହ ଅକ୍ଷୟଙ୍କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ, ରିଆମାଳ ଥାନା ପୁଲିସ ଗତ ୬ ତାରିଖ ଦିନ ନଖବାହାଳ ଗ୍ରାମରେ ଚଢ଼ଉ କରି ୨୦୫ ଲିଟର ଦେଶୀ ରନ୍ଧା ମଦ ସହ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ଉପକରଣ ଜବତ କରିଥିଲେ।