ସଇଁତଳା,ଏନ୍ଏନ୍ଏସ୍: ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁତଳା ଡାକ୍ତରଖାନାରୁ। ମୃତବ୍ୟକ୍ତି ଜଣଙ୍କ ହେଉଛନ୍ତି ଦୀର୍ଜୁ ଭୋଇ। ସୂଚନା ଯୋଗ୍ୟ ଯେ, ସଇଁନ୍ତଳା ବ୍ଳକ ଘୁନସର ପଞ୍ଚାୟତ କନ୍ଦଉଲବା ଗ୍ରାମର ଦୀର୍ଜୁ ନାମକ ଜଣେ ବ୍ୟକ୍ତିଙ୍କ ଆଜି ଛାତି ଯନ୍ତ୍ରଣା ହୋଇଥିଲା। ତାଙ୍କୁ ବାଇକ ଯୋଗେ ସଇଁନ୍ତଳା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଯୁବକଙ୍କ ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ପଠାଯାଇଥିଲା। ହେଲେ ଆମ୍ବୁଲାନ୍ସ ଆସିବା ବେଳକୁ ରୋଗୀର ମୃତ୍ୟୁ ହୋଇଥିଲା।
ରୋଗୀଙ୍କୁ ପରିବାର ଲୋକେ ୧୦ଟା ୩୦ରେ ଡାକ୍ତରଖାନାକୁ ଆଣିଥିଲେ। ତେଣୁ ଡାକ୍ତରଙ୍କ ଅବହେଳା ଯୋଗୁଁ ଦୀର୍ଜୁଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତର ଜ୍ୟୋତିରଞ୍ଜନ ବାଗ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା ଓ ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବାରେ ବିଳମ୍ବ କରିବାରୁ ଏଭଳି ଘଟଣା ଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି।