ଆବାସ ଯୋଜନାରେ ଅନିୟମିତତା ନେଇ ବ୍ଲକ୍ ଘେରିଲା ବଜେପି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବିଜେପି ପକ୍ଷରୁ ପାଟଣା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣି ସାରା ରାଜ୍ୟର ବ୍ଲକ ଅଫିସ ଗୁଡ଼ିକ ସମ୍ମୁଖରେ ପ୍ରତିବାଦ କରୁଛି ବିଜେପି। ଏହି ପରିପ୍ରେକ୍ଷୀରେ ପାଟଣା ବ୍ଲକ ଅଫିସ ଆଗରେ ମଧ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ଦଳୀୟ ଭିତ୍ତିରେ ପକ୍କାଘର ବଣ୍ଟନ ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏଥିସହ ଲାଞ୍ଚ ନେଇ ଘର ଦେବା ଓ ଜିଆରଏସ ମାନେ ଠିକାଦାର କାମ କରୁଥିବା ଅଭିଯୋଗ ଆଣିଛି ବିଜେପି। ଏହାକୁ ତଦନ୍ତ କରିବାକୁ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପୁନଃ ଯେଉଁ ଘର ଯୋଗାଇ ଦେଇଛନ୍ତି ସେହି ଘରକୁ ଯୋଗ୍ୟତା ଭିତ୍ତିରେ ବଣ୍ଟନ ପାଇଁ ଦାବି କରିଛି ଦଳ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ନେତୃତ୍ୱରେ ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ କୁମାର ପଲେଇ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ପାଟଣା ମହିଳା ମୋର୍ଚ୍ଚା ସଭାନେତ୍ରୀ ସମ୍ବାରି ମୁଣ୍ଡା, କୃଷକ ମୋର୍ଚ୍ଚା ସଭାପତି ତ୍ରିନାଥ ମହାନ୍ତ ପ୍ରମୁଖ ତହସିଲ କାର୍ଯ୍ୟାଳୟରୁ ରାଲିରେ ଆସି ପାଟଣା ବ୍ଲକ ଘେରାଉ କରିଛନ୍ତି।