କୋଲାବିରା ଓ ଝାରସୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ କୋଲାବିରା ଓ ଝାରସୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତିପ୍ରାଠୀ କହିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି। ଗରିବ ତଥା ବାସହୀନ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଦେଉଥିବା ଆବାସକୁ ହରିଲୁଟ କରାଯାଉଛି। ଜମିବାଡ଼ି, କୋଠା ଥିବା ଲୋକେ ଠକେଇ କରି ଘର ହାତେଇଥିବାରୁ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି। ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିବାଠାରୁ ଏପର୍ଯ୍ୟନ୍ତ ୩୨ହଜାର ୪ଶହ ଆବାସ ଘର ଝାରସୁଗୁଡ଼ାକୁ ଆସିଛି। ହେଲେ ରାଜ୍ୟ ସରକାରଙ୍କ ଅପାରଗତା ତଥା ପକ୍ଷପାତିତା ଯୋଗୁ ଜିଲ୍ଲାର ଅନେକ ଗରିବ ଲୋକଙ୍କୁ ଘର ମିଳିନାହିଁ। ତେଣୁ ପ୍ରଧାନମନ୍ତ୍ରୀ ଆବାସରେ ଘୋଟଲା କରିଥିବା ଲୋକ, ନେତା ତଥା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ତିପ୍ରାଠୀ କହିଛନ୍ତି। ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡ଼ଙ୍ଗୀ, ପ୍ରେମସନ ରାୟ, ନବଲ ଅଗ୍ରୱାଲ, ବିମଳେନ୍ଦୁ ଭୋଲ ଓ ପୁରୁଷୋତ୍ତମ ଥିରାନୀ ପ୍ରମୁଖ ଉପସ୍ଥିତ ଥିଲେ।