ଭାରତ ବନାମ ଇଂଲଣ୍ଡ: ଓପନର ଭାବେ ରୋହିତ ଶର୍ମାଙ୍କ ସହ ନଜର ଆସିବେ ମୟଙ୍କ ଅଗ୍ରୱାଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଇଂଲଣ୍ଡ ଗସ୍ତରେ ଓପନର ଭାବେ ଚୟନ ହୋଇଥିବା ଶୁଭମନ ଗିଲଙ୍କୁ ଆଘାତ ଲାଗିବା ପରେ ତାଙ୍କୁ ପୁଣି ଭାରତ ଫେରିବାକୁ ପଡ଼ିଥିଲା। ଏନେଇ ଭାରତୀୟ ଟିମର ଚିନ୍ତା ବଢ଼ିଯାଇଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିରୋଧରେ ଓପନିଂ ଯୋଡି ଭାବେ ରୋହିତ ଶର୍ମାଙ୍କ ସହିତ ମୟଙ୍କ ଅଗ୍ରୱାଲ ମଇଦାନକୁ ଓହ୍ଲାଇବେ।

ଟିମ ମ୍ୟାନେଜମେଣ୍ଟ ତରଫରୁ ଶୁଭମନ ଗିଲଙ୍କ ସ୍ଥାନରେ ପୃଥ୍ୱୀ ଶ କିମ୍ବା ଦେବଦତ୍ତ ପାଡ଼ିକଲଙ୍କୁ ଇଂଲଣ୍ଡ ପଠାଇବା ପାଇଁ ଅପିଲ ହୋଇଥିଲା। କିନ୍ତୁ ଇଂଲଣ୍ଡରେ ଓପନିଂ ପାଇଁ ଭାରତ ପାଖରେ ଯେଉଁ ବିକଳ୍ପ ଅଛି ତାଙ୍କୁ ଖେଳାଇବାକୁ ବିସିସିଆଇର ଚୟନକର୍ତ୍ତାମାନେ କହିଛନ୍ତି। ମୟଙ୍କ ଅଗ୍ରୱାଲ ଓ ଅଭିମନ୍ୟୁ ଇଶ୍ୱରନ୍ ରିଜର୍ଭ ଖେଳାଳି ଭାବେ ଇଂଲଣ୍ଡରେ ଥିଲେ।