୪୦ ବର୍ଷରେ ପାଦ ଥାପିଲେ ଧୋନୀ

  • ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟମ ମହେନ୍ଦ୍ର ସିଂହ ଧୋନୀଙ୍କ ବୁଧବାର ଜନ୍ମଦିନ। ୪୦ ବର୍ଷରେ ପାଦ ଥାପିଛନ୍ତି କୁଲ କ୍ୟାପଟେନ। ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୮୧ ଜୁଲାଇ ୭ରେ ବିହାରର ରାଞ୍ଚିରେ ଜନ୍ମଗ୍ରହଣ କରିଥିବା ମହେନ୍ଦ୍ର ସିଂ ଧୋନୀ ୧୫ ବର୍ଷର କ୍ରିକେଟ କ୍ୟାରିୟରରେ ବହୁ ରେକର୍ଡ କରିଛନ୍ତି। କେବେ ଖଡଗପୁର ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଟିକେଟ୍ କାଟୁଥିବା ଧୋନୀ ଦିନେ ଭାରତୀୟ କ୍ରିକେଟ୍ ଟିମ୍ର ଭାଗ୍ୟ ଲେଖିବେ ତାହା ବୋଧହୁଏ କେହି ଭାବି ନଥିଲେ। ସେ ବାଙ୍ଗଲାଦେଶ ବିପକ୍ଷରେ ଚିଟଗାଁଓରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିଲେ। ହେଲେ ମାହି ଏହି ୱାନଡେ ମ୍ୟାଚରେ ୦ ରନ୍ କରି ଆଉଟ୍ ହୋଇଥିଲେ। ରାଞ୍ଚିର ରାଜକୁମାର ମହେନ୍ଦ୍ର ସିଂହ ଧୋନୀ ତାଙ୍କ କ୍ୟାପଟେନସିପ୍ ସମୟରେ ଆଇସିସିର ୩ଟି ବଡ଼ ଟୁର୍ଣ୍ଣାମେଣ୍ଟ, ୧୦ ୱାର୍ଲ୍ଡ କପ୍, ୱାନଡେ ୱାର୍ଲ୍ଡ କପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି। କ୍ରିକେଟ୍ ଫିଲ୍ଡରେ ଶାନ୍ତ ସ୍ୱଭାବ ରଖୁଥିବା ଧୋନୀ ୯୦ଟି ଟେଷ୍ଟ, ୩୫୦ ୱାନଡେ, ୯୮ ଟି ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪ ହଜାର ୮୭୬ ରନ୍ କରିଛନ୍ତି। ସେହିପରି ୱାନଡେରେ ୧୦ ହଜାର ୭୭୩ ରନ୍ କରିଛନ୍ତି। ଏତଦ୍ବ୍ୟତୀତ ଟି ୨୦ରେ ମାହିଙ୍କ ନାମରେ ୧ ହଜାର ୬୧୭ ରନ୍ ରେକର୍ଡ ହୋଇଛି।
    ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ସର୍ବାଧିକ ଷ୍ଟମ୍ପିଂ ରେକର୍ଡ ରହିଛି। ସେ ୫୩୮ ଇଣ୍ଟରନ୍ୟାଶନାଲ ମ୍ୟାଚରେ ସମୁଦାୟ ୧୯୫ ଷ୍ଟମ୍ପିଂ କରିଛନ୍ତି। ଧୋନୀ ୱାନଡେ ଇଣ୍ଟରନ୍ୟାଶନାଲ କ୍ରିକେଟରେ କ୍ରିକେଟ କିପର୍ଭାବେ ରେକର୍ଡ କରିଛନ୍ତି। ସେ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଜୟପୁରରେ ୧୮୩ ରନ୍ ଖେଳିଥିଲେ। ଏହି ସମୟରେ ଧୋନୀ ୧୫ଟି ଚୌକା ଓ ୫ଟି ଛକା ମାରିଥିଲେ। ଆଇପିଏଲ୍ରେ ଥାଲା ନାମରେ ବେଶ୍ ପ୍ରସିଦ୍ଧ ମହେନ୍ଦ୍ର ସିଂହ ଧୋନୀ ଆଇସିସି ୱାନଡେ ପ୍ଲେୟାର ଅଫ ଦ ଇୟରଭାବେ ୨ ଥର ମନୋନୀତ ହୋଇଛନ୍ତି। ୨୦୦୮ ଓ ୨୦୦୯ରେ ସେ ଲଗାତର ଦୁଇ ଥର ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଧୋନୀଙ୍କର ଟ୍ରେଡ୍ ମାର୍କ ହେଉଛି ହେଲିକପ୍ଟର ସର୍ଟ।