ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବିଦ୍ୟୁତ ସେକ୍ସନରେ କାର୍ଯ୍ୟରତ ଜଣେ ଲାଇନମ୍ୟାନ ଆଜି ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢି କମ କରୁଥିଲେ। ଏହି ସମୟରେ ସେ ଖୁଣ୍ଟରୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବିଦ୍ୟୁତ ସେକ୍ସନରେ କାର୍ଯ୍ୟରତ ପୁରୁଷୋତ୍ତମ ବାଡା (୪୦) ନାମକ ଜଣେ ଲାଇନମ୍ୟାନ ଆଜି ପୂର୍ବାହ୍ନରେ ନିଜ ଅନ୍ୟ ଜଣେ କର୍ମଚାରୀଙ୍କ ସହ ପୁରୁଣା ବାରକୋଟ ଝରା ସାହି ଅଞ୍ଚଳରେ ବିଦ୍ୟୁତ ତାର ମରାମତି ନିମନ୍ତେ ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଥିଲେ। ଅସାଭଧାନତା ଯୋଗୁଁ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ। ଏହା ଦେଖି ସାଙ୍ଗରେ ଥିବା ସହଯୋଗୀ ଜଣକ ବାରକୋଟ ଦମକଳ ବାହିନୀକୁ ସୂଚନା ଦେଇଥିଲେ।
ସୂଚନାପାଇ ବାରକୋଟ ଦମକଳ ବାହିନୀ ଗୁରୁତର ପୁରୁଷୋତ୍ତମଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରକୋଟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଲାଇନମ୍ୟାନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପରିବାର ଲୋକେ ବାରକୋଟ ଥାନରେ ଅଭିଯୋଗ କରିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।