୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଦ୍ୱାରା ଏକ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜୟପୁର ସଦର ଥାନା ବ୍ରାହ୍ମଣୀ ଗାଁ ନିକଟରେ ଏକ ପିକଅପ୍ ଭ୍ୟାନରେ ପ୍ରାୟ ୧୦ ଜଣ ବ୍ୟକ୍ତି ଗଞ୍ଜେଇ ଲୋଡିଂ କରୁଥିବା ସୂଚନା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ. ମହାକୁଡଙ୍କୁ ମିଳିଥିଲା।

ସୂଚନାକୁ ଆଧାର କରି ଓଆଇସି ଏବଂ ଅନ୍ୟ ପୁଲିସ କର୍ମଚାରୀ ଚଢ଼ଉ କରି ପିକଅପ୍ ଭ୍ୟାନ ସହ ଗଞ୍ଜେଇ ଜବତ କରିଥିଲେ। ଘଟଣାରେ ପୁଲିସ ଜୟପୁର ଜୟନଗର ଅଞ୍ଚଳର ଅବିନାଶ ମହାପାତ୍ର(୨୩) ଓ ନନ୍ଦପୁର ଥାନା ପେଟ୍ଟା ଗ୍ରାମର ପ୍ରଦୀପ ପ୍ରଧାନ(୨୮)କୁ ଗିରଫ କରିଛି। ଜୟପୁରର ମହମ୍ମଦ ଇକବାଲ ଓ କଳସହାଣ୍ଡି ଗ୍ରାମର ଶିବ ପୂଜାରୀଙ୍କ ସହ ଅନ୍ୟ ୭ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି। ପିକଅପ୍ ଭ୍ୟାନରୁ ପୁଲିସ୍ ୧୨୪୩ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ୨ଟି ମୋଟର ସାଇକଲ, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପିସ୍ତଲ ଜବତ କରିଛି। ଗିରଫ ୨ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।