ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ବେଆଇନ ଗୋରୁ ଚାଲାଣ ବେଳେ ୪୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ କଣ୍ଟେନରକୁ ପୁଲିସ ଜବତ କରିଛି। ସୂଚନା ଅନୁଯାୟୀ ଆଜି ପ୍ରତ୍ୟୁଷରେ ସମ୍ବଲପୁର ପଟୁ ଏକ କଣ୍ଟେନରରେ ବେଆଇନ ଭାବେ ୪୨ଟି ଗୋରୁ ଭର୍ତ୍ତି କରି କଲିକତା ଅଭିମୁଖେ ଯାଉଥିବା ବେଳେ ଭିଏଚପି କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଜାଣିପାରି ଗାଡିକୁ ଅଟକାଇବା ସହ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ।
ସୂଚନାପାଇ ଦେବଗଡ଼ ଥାନା ପୁଲିସ ଏସଆଇ ବୁଦ୍ଧରାୟ ମାଝୀ ଓ ପ୍ରତାପ ଦଳେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବାସହ ଗୋରୁ ମାନଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କୁ ଦେଖାରଖା ପାଇଁ ଦାଇତ୍ୱ ଦେଇଛନ୍ତି। ଏଥିସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗାଡି ଚାଳକ ଓ ଗାଡ଼ିରେ ଥିବା ଅନ୍ୟ କେତେକ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କଣ୍ଟେନର ମଧ୍ୟରୁ ଗୋଟିଏ ମୃତ ଗୋରୁ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡିଛି।