ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଧାନ କିଣାକୁ ନେଇ ଲାଗି ରହିଥିବା ଅବ୍ୟବସ୍ଥାକୁ ବିରୋଧ କରି ଆଜି ବଡ଼ମାଲ ଛକରେ ସକାଳ ୧୦ଟାରୁ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାର ଚାଷୀମାନେ ଋଣ ନେଇ ରବି ଋତୁରେ ଚାଷ କରିଥିବାବେଳେ ସରକାର ତଥା ଜିଲ୍ଲା ପ୍ରଶାସନ ଚାଷୀଙ୍କ ଧାନ କିଣୁ ନାହାନ୍ତି। ଚାଷୀଙ୍କ ରବି ଧାନ କିଣିବା ପାଇଁ ସରକାର ମାତ୍ର ୧୨ ଦିନ ସମୟ ଦେଇଛନ୍ତି। ହେଲେ ଧାର୍ଯ୍ୟ ସମୟରେ ସମସ୍ତ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିପାରିବେ ନାହିଁ। ତେଣୁ ଧାନ କ୍ରୟର ଅବଧିକୁ ସରକାର ଜୁଲାଇ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ଯେଉଁ ଚାଷୀମାନେ ରବି ଋତୁରେ ଚାଷ କରିଥିଲେ ସୁଦ୍ଧା ସେମାନଙ୍କର ରେଜିଷ୍ଟ୍ରେସନ ହୋଇନାହିଁ ତାଙ୍କ ଜମିର ରେଜିଷ୍ଟ୍ରେସନ କରି ଶୀଘ୍ର ଟୋକନ ପ୍ରଦାନ କରି ଧାନ କ୍ରୟ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାର ଡିଏଲପିସି ବୈଠକରେ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଆଧାରରେ ଲଖନପୁର ବ୍ଲକର ବୁଡ଼ି ଅଂଚଳରେ ଆରଓଆର ନଥିବା ୬୬୪ ଚାଷୀଙ୍କ ୪୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଜିଲ୍ଲାପାଳ ଓଡ଼ିଶା ସରକାରଙ୍କୁ ଲିଖିତ ଭାବରେ ଜଣାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି କି ଧାନ କିଣି ନାହାନ୍ତି। ଫଳରେ ବୁଡ଼ି ଜମିରେ ଚାଷ କରିଥିବା ଏହି ଚାଷୀମାନେ କୁଇଣ୍ଟାଲ ପ୍ରତି ମାତ୍ର ୧ହଜାର ଟଙ୍କାରେ ଧାନ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି। ତେଣୁ ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କ ସମସ୍ତ ସମସ୍ୟା ଦୂର କରି ସରକାର ଧାର୍ଯ୍ୟ ଦରରେ ଧାନ କିଣନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ସମୟରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସଭାପତି ମୁରାରି ପାଣିଗ୍ରାହୀ, ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ରଘୁନନ୍ଦନ ପଣ୍ଡା, ବିଶ୍ୱଜିତ ଷଡ଼ଙ୍ଗୀ, ପ୍ରେମସନ ରାୟ, ବାବଲୁ ଦାସ, ସଞ୍ଜୁ ସାଳୁଜା, ମହେଶ୍ୱର ନାୟକ, ବିଶାଳ ପତି ଓ ରୀନା ପଟେଲ ପ୍ରମୁଖଙ୍କ ସହ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।