ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା କଳାମାଟି ଗ୍ରାମରେ ପ୍ରସ୍ତାବିତ ଏକଲବ୍ୟ ବିଦ୍ୟାଳୟ ଛାତ୍ରୀ ନିବାସ କୋଠାରେ ଆଜି ବେଦାନ୍ତ ସହାୟତାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ, ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବେଦାନ୍ତ ଗ୍ରୁପ ସିଇଓ ଅନୁରାଗ ତିୱାରୀ ଓ ବିକାଶ ହସ୍ପିଟାଲ ଗ୍ରୁପ ଅଧ୍ୟକ୍ଷ ଡକ୍ଟର ମୁରଲୀକ୍ରିଷ୍ଣନ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ, ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ସିଇଓ ରାହୁଲ ଶର୍ମା ପ୍ରମୁଖ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ। ବେଦାନ୍ତ ଗ୍ରୁପ ରାଜ୍ୟ ତଥା ଦେଶର ବିକାଶ ପାଇଁ ଦୃଢ ସଂକଳ୍ପ ବଦ୍ଧ ବୋଲି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଭିଡ ପରିଚାଳନା ପାଇଁ ବେଦାନ୍ତ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଜିଲ୍ଲାବାସୀ ସରକାରୀ ନିୟମକୁ ମାନି ଚାଲିବାକୁ ଅନୁରୋଧ କରିଥିଲେ। ଉକ୍ତ କୋଭିଡ ହସ୍ପିଟାଲର ପରିଚାଳନା ବିକାଶ ଗ୍ରୁପ କରିବାକୁ ଥିବାବେଳେ ୮ ଡାକ୍ତର, ୫୫ ନର୍ସିଂ କର୍ମଚାରୀ, ୧୨ ଆଇସିୟୁ ଓ ୩୨ ଏଚଡିୟୁ ସହ ବର୍ତ୍ତମାନଠାରୁ କାର୍ୟ୍ୟକ୍ଷମ ହେବ ବୋଲି ବିକାଶ ହସ୍ପିଟାଲ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ମୁରଲୀକ୍ରିଷ୍ଣନ ପ୍ରକାଶ କରିଛନ୍ତି।