ଖାଇବା ତେଲର ଆକାଶ ଛୁଆଁ ଦର ଯୋଗୁ ବଢ଼ୁଛି ଟୋଲା ତେଲର ଚାହିଦା

ମାଲକାନଗିରି,ଏନ୍ଏନ୍ଏସ୍: ଦେଶରେ ପେଟ୍ରୋଲ-ଡିଜେଲ ସାଙ୍ଗକୁ ଖାଇବା ତେଲ ଦର ମଧ୍ୟ ଦିନକୁଦିନ ବଢ଼ିବାରେ ଲାଗିଛି। ଫଳରେ ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକମାନେ ବେଶି ପ୍ରଭାବିତ ହେଉଛନ୍ତି। ଏଭଳି ସ୍ଥିତିରେ ରୋଷେଇ ପାଇଁ କେବଳ ବଜାରରେ ବିକ୍ରି ହେଉଥିବା ତେଲ ଉପରେ ନିର୍ଭର ନ କରି ଏହାର ବିକଳ୍ପ ବ୍ୟବସ୍ଥାକୁ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ଅନେକ ଅଧିବାସୀ ଆପଣାଇଛନ୍ତି। ପାରମ୍ପରିକ ଟୋଲା ତେଲକୁ ପ୍ରସ୍ତୁତ କରି ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି।

ଆଦିବାସୀମାନେ ଜଙ୍ଗଲ ଜାତ ଟୋଲା ଫଳରୁ ଟୋଲା ତେଲ ପ୍ରସ୍ତୁତ କରୁଛନ୍ତି। ଟୋଲା କିଲୋ ପ୍ରତି ମାତ୍ର ୩ ଟଙ୍କା ହୋଇଥିବାବେଳେ ଏକ କିଲୋ ଟୋଲାରୁ ପ୍ରାୟ ୨୫୦ ଗ୍ରାମ ଟୋଲା ତେଲ ମିଳୁଛି। ଆଉ ୧୨ରୁ ୧୫ ଟଙ୍କା ଭିତରେ ଏକ ଲିଟର ଖାଇବା ଟୋଲା ତେଲ ମିଳୁଛି। ତେଣୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକେ ଏବେ ନିଜ ପାରମ୍ପାରିକ ତେଲ ବ୍ୟବହାର କରି ବ୍ୟୟ ବହୁଳ ଖର୍ଚ୍ଚରୁ ରକ୍ଷା ପାଇଥିବା ଜିଲ୍ଲାର ଖଇଣିପୁଟ ବ୍ଲକର ଶିରିପେଟା ଗ୍ରାମର ଗୃହିଣୀ ଭାବି ନାୟକ, ରୁକୁଣୀ ନାୟକ ଓ ସରିତା ଖିଲ ପ୍ରକାଶ କରିଛନ୍ତି। ଏମ।।ନେ ଖରାଦିନେ ମହୁଲ ଗଛରୁ ଟୋଲା ସଂଗ୍ରହ କରି ଫଟେଇ ଶୁଖେଇ ଦେଇଥାନ୍ତି। ଆଉ ଖରାରେ ଶୁଖିବା ପରେ ନିକଟସ୍ଥ ମିଲ୍ରେ ନେଇ ମିଲିଙ୍ଗ କିମ୍ବା ନିଜ ଘରେ ତେଲ ବାହାର କରିଥାନ୍ତି। ତେଲକୁ ସ୍ୱାଦିଷ୍ଟ ଓ ପତଳା କରିବା ପାଇଁ ସୋରିଷ ସହ କିଛି ଜଙ୍ଗଲ ଜାତ ଦ୍ରବ୍ୟ ବ୍ୟବହାର କରୁଥିବା ମିଲ ଚାଳକ ମହେଶ୍ୱର ନାୟକ ପ୍ରକାଶ କରିଛନ୍ତି। ଏହି ତେଲର ଔଷଧୀୟ ଗୁଣ ଥିବାରୁ ସ୍ଥାନୀୟ ଆଦିବାସୀମାନେ ଦେହରେ ଓ ଚୁଟିରେ ଲଗାଇଥାନ୍ତି। କେବଳ ଏତିକି ନୁହେଁ ଟୋଲା ଓ ତେଲ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି। ଟୋଲାରୁ ତେଲ ବାହାର କରିବା ପରେ ଏଥିରୁ ନିର୍ଗତ ହେଉଥିବା ଅଦରକାରୀ ଜିନିଷ ବାହାର ରାଜ୍ୟରେ ବିକ୍ରି କରୁଥିବାରୁ ମିଲିଂ କରୁଥିବା ମାଲିକମାନେ ମଧ୍ୟ ଗ୍ରାହକଙ୍କଠୁ କମ୍ ପଇସା ନେଇଥାନ୍ତି। ତେବେ ସରକାରୀ ସ୍ତରରେ ଏହାକୁ ପ୍ରତ୍ସୋହନ ପ୍ରଦାନ କଲେ ବହୁ ଆଦିବାସୀ ପରିବାର ଆତ୍ମନିର୍ଭରଣୀଳ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।