ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଡଳ ଗ୍ରାମର ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ୨ଟି ଏଟିଏମରୁ ଟଙ୍କା ଲୁଟ ଉଦ୍ୟମ ହୋମଗାର୍ଡଙ୍କ ରାତ୍ରିକାଳୀନ ପହରା ଯୋଗୁ ପଣ୍ଡ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାକୁ ୪୮ଘଣ୍ଟା ବିତି ଯାଇଥିଲେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରୁନଥିବା ଏବଂ ଭଙ୍ଗା ଏଟିଏମ ସଜାଡୁ ନଥିବାରୁ ଗ୍ରାହକ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ରବିବାର ବିଳମ୍ବିତ ରାତିରେ କଣ୍ଡଳ ଗ୍ରାମର ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ୟୁନିୟନ ଓ ଷ୍ଟେଟ ବ୍ୟାଙ୍କର ୨ଟି ଏଟିଏମ କାଉଣ୍ଟରରେ କେତେକ ଦୁର୍ବୁତ୍ତ ପଶି ମେସିନ ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ମାତ୍ର ରାତ୍ରିକାଳୀନ ପହରା ଦେଉଥିବା ହୋମଗାର୍ଡଙ୍କୁ ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏନେଇ ଗତକାଲିଠାରୁ ଦେବଗଡ଼ ଥାନା ପୁଲିସ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ସୂଚନା ଦେବାସହ ଅଭିଯୋଗ କରିବାକୁ କହିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ସେଥିପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନଥିବାରୁ ଭଙ୍ଗା ଏଟିଏମ ମେସିନ ସଜଡ଼ା ଯାଇନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକେ ଏଟିଏମ ସୁବିଧାରୁ ବଞ୍ଚିତ ହୋଇ ୨ଦିନ ଧରି ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।