ମାଇକ୍ରୋସଫ୍ଟ ଗୁରୁବାର ଏକ ଭର୍ଚୁଆଲ ଇଭେଣ୍ଟରେ ଓ୍ୱିଣ୍ଡୋଜ୍ ୧୧କୁ ବିଧିବଦ୍ଧ ଭାବେ ଲଞ୍ଚ୍ କରିଛି। ନୂଆ ଓ୍ୱିଣ୍ଡୋଜ୍ ଭର୍ସନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ୟୁଜରଙ୍କୁ ଅଧିକ ଫାଇଦା ପ୍ରଦାନ କରିବ। ଓ୍ୱିଣ୍ଡୋଜ୍ ୧୧ରେ ଓ୍ୱିଜେଟ୍ସ ସହ ନୂଆ ଷ୍ଟାର୍ଟ ମେନୁ ଓ ଟାସ୍କବାର ଦେଖିବାକୁ ମିଳିବ ଯାହା ଡେଭଲପର୍ ଆପ୍ ସହ କାମ କରିବ। ଆସନ୍ତୁ ଜାଣିବା ଓ୍ୱିଣ୍ଡୋଜ୍ ୧୧ ବାବଦରେ ଅନେକ ତଥ୍ୟ।
ଫ୍ରିରେ ଡାଉନଲୋଡ୍ ହୋଇପାରିବ ଆଣ୍ଡ୍ରୋଏଡ୍ ଆପ୍ସ୍
ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ୍ ଷ୍ଟୋରରେ ମଧ୍ୟ ପରିବର୍ତ୍ତନ କରିଛି। ଓ୍ୱିଣ୍ଡୋଜ୍ ୧୧ରେ ଆଣ୍ଡ୍ରୋଏଡ୍ ଆପ୍ସ ସପୋର୍ଟ ମିଳିବ। ଏଥିପାଇଁ ଓ୍ୱିଣ୍ଡୋଜ୍ ୧୧ରେ ଆମାଜନ ଆପ୍ ଷ୍ଟୋର୍ ମିଳିବ। ତେବେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋର ମିଳିବ ନାହିଁ । କେବଳ ସୀମିତ ଆପ୍ ହିଁ ଆପଣ ଡାଉନଲୋଡ୍ କରିପାରିବେ।
ୟୁଜର୍ସ ଫ୍ରିରେ ପାଇପାରିବେ ଓ୍ୱିଣ୍ଡୋଜ୍ ୧୧
ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ୍ ୧୧କୁ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ କମ୍ପ୍ୟୁଟର୍ ଓ ଅନ୍ୟ ଉପକରଣରେ ଉପଲବ୍ଘ କରାଯିବ। ଓ୍ୱିଣ୍ଡୋଜ୍ ୧୦ ୟୁଜର୍ସ ଏହାକୁ ଫ୍ରିରେ ଅପଗ୍ରେଡ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଲାପଟପ୍ କିମ୍ବା କମ୍ପ୍ୟୁଟରରେ ଅତିକମରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ସ୍ପେସ୍ ରଖିବାକୁ ହେବ। ଏହାସହ ଆଫପଣଙ୍କ ଡିଭାଇସରେ ୬୪-ବିଟ୍ ପ୍ରୋସେସର୍ ରହିବା ଆବଶ୍ୟକ।
ୟୁଜର ଇଣ୍ଟରଫେସରେ ନୂଆ ଅପଡେଟ୍
ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ୍ ୧୧ର ନୂଆ ୟୁଜରଙ୍କୁ ଓ୍ୱିଜେଟ୍ସରେ କ୍ୟାଲେଣ୍ଡର, ପାଣିପାଗ ବାବଦରେ ତଥ୍ୟ ମିଳିବ। ଏହାସହ ନୂଆ ନୋଟିଫିକେସନ୍ ବାବଦରେ ମଧ୍ୟ ୟୁଜର ଜାଣିପାରିବେ। ନୂଆ ଓ୍ୱିଣ୍ଡୋକୁ ଆପଣ ପର୍ସନଲାଇଜ୍ କରିପାରିବେ। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଇଛି।
ଗେମିଂ ପାଇଁ ନୂଆ ଫିଚର୍ସ
ଓ୍ୱିଣ୍ଡୋଜ ୧୧କୁ ସାଧାରଣତଃ ଗେମିଂ ପାଇଁ ଡିଜାଇନ୍ କରାଯାଇଛି। କମ୍ପାନୀ କହିଛି ଯେ, ଏହା ଆପଣଙ୍କୁ ସିଷ୍ଟମ ବେସଡ୍ ଗେମିଂ ଏକ୍ସପେରିଏନ୍ସ ଦେବ। ଏଥିରେ ଅଟୋ ଏଚଡିଆର ଫିଚର୍ ପ୍ରଦାନ କରାଯାଇଛି। ଯାହା ଗେମିଂର ଲାଇଟକୁ ଅଟୋ ଅପଡେଟ୍ କରିବ। ଫଳରେ ଭିଜିବିଲିଟରେ କୌଣସି ସମସ୍ୟା ଦେଖାଦେବ ନାହିଁ। ଓ୍ୱିଣ୍ଡୋଜ୍ ୧୧ରେ ଏକ୍ସବକ୍ସ୍ ଆପ୍ ଜରିଆରେ ଗେମ୍ ସବସ୍କ୍ରିପସନ୍ ମିଳିବ।