ପ୍ରଧାନମନ୍ତ୍ରୀଙ୍କ ବୈଠକ ବିରୋଧରେ କଶ୍ମୀର ପଣ୍ଡିତଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ଜମ୍ମୁ-କଶ୍ମୀରର ୮ଟି ଦଳର ୧୪ଜଣ ନେତା ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି। କିନ୍ତୁ ଏହି ବୈଠକ ବିରୋଧରେ କଶ୍ମୀର ପଣ୍ଡିତମାନେ ପ୍ରଦର୍ଶନ କରିଛନ୍ତି। କଶ୍ମୀର ପଣ୍ଡିତଙ୍କ ସଂଗଠନ ଅଲ ଇଣ୍ଡିଆ ୟୁଥ କଶ୍ମୀରୀ ସମାଜର କାର୍ଯ୍ୟକର୍ତ୍ତା ଜମ୍ମୁରେ ବିରୋଧ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି। ଗତ ୩ ଦଶକ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳ କଶ୍ମୀର ପଣ୍ଡିତଙ୍କୁ ତିରସ୍କାର କରିବା ସହ କେବଳ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରିଥିବା ସେମାନେ ଆରୋପ ଲଗାଇଛନ୍ତି।