ବେଆଇନ୍ ପାର୍କିଂ କଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ

ଦେବାକୁ ପଡିବ ୫୦ହଜାର ଟଙ୍କା ଜୋରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଆଇନ୍ ପାର୍କିଂ କରୁଥିବା ଉଲ୍ଲଘଂନକାରୀଙ୍କୁ ଚେତାବନୀ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ବାରମ୍ବାର ବେଆଇନ୍ ପାର୍କିଂର ଅଭ୍ୟାସ ନଜରକୁ ଆସିବା ଏବଂ ଏଥିପାଇଁ ଉଲ୍ଲଙ୍ଘନକାରୀ ନମାନିବା ଦେଖି ଉପଆୟୁକ୍ତ ପ୍ରମୋଦ କୁମାର ପୃଷ୍ଟି ଗୁରୁବାର ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ ହୋଟେଲକୁ ନୋଟିସ୍ ଜାରି କରିଛନ୍ତି। ପ୍ରକାଶ ଥାଉକି, ସ୍ୱସ୍ତି ପ୍ରିମିୟମ ହୋଟେଲକୁ ଆସୁଥିବା ଦୁଇ ଓ ଚାରିଚକିଆ ଯାନକୁ ଉପରୋକ୍ତ ସଂସ୍ଥାର ପରିଚାଳକମାନେ ବିଏମସି ଚିହ୍ନିତ ସ୍ଥାନରେ ନ ରଖାଯାଇ ଏହାଠାରୁ କିଛିି ଦୂରରେ ରଖି ଆସୁଥିଲେ।

ସୂଚନାଯୋଗ୍ୟ, ଉକ୍ତ ହୋଟେଲ୍ ନିକଟରେ ଥିବା ବିଏମ୍ସି ପାର୍କିଂ ଚିହ୍ନିତ ସ୍ଥାନରେ ନରଖି ଏଥିପାଇଁ ଦେୟ ଦେବାରୁ ଦୂରେଇ ରଖିବା ଉଦ୍ଦ୍ୟେଶରେ ସର୍ଭେ ଅଫ୍ ଇଣ୍ଡିଆ ପାଶ୍ୱର୍ରେ ରଖୁଛନ୍ତି। ଫଳରେ ଏଥିପାଇଁ ବିଏମ୍ସି ପାଣ୍ଠିକୁ ରାଜସ୍ୱ ଆସୁନାହିଁ। ଦିଆଯାଇଥିବା ପତ୍ର ଅନୁଯାୟୀ, କୌଣସି ସଂସ୍ଥା ଜାଣିଶୁଣି ଦେୟ ଦେବାରୁ ଦୂରେଇ ରହିବା ଏବଂ ଚିହ୍ନିତ ପାର୍କିଂ ସ୍ଥାନରେ ନରଖି ଅନ୍ୟସ୍ଥାନରେ ଯାନବାହନ ରଖିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲେ ଏଥିପାଇଁ ପଦକ୍ଷେପ ସ୍ୱରୁପ ଜୋରିମାନା ଆଦାୟ କରାଯିବ।

ଯଦି ଉକ୍ତ ହୋଟେଲ୍ ବିଏମସି ଚିହ୍ନିତ ପାର୍କିଂ ସ୍ଥାନରେ ରଖି ଏଥିପାଇଁ ପଇସା ଦେବାକୁ ଇଛା ନକରନ୍ତି, ତେବେ ସେ ନିଜସ୍ୱ ଇଲାକା ମଧ୍ୟରେ ଏହା ରଖିବାକୁ ବିଏମସି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ନହେଲେ ଉଲ୍ଲଙ୍ଘନ ନିମନ୍ତେ କର୍ତ୍ତୃପକ୍ଷ ଦୈନିକ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହିତ ବେଆଇନ୍ ଭାବେ ପାର୍କିଂ ହୋଇଥିବା ଗାଡିଗୁଡିକୁ ଜବତ କରି ନିଲାମ କରିବେ।