ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଟେଣ୍ଡର ପାଇଁ ଡିଡି ପକାଇଥିବା ଜଣେ ଠିକାଦାରଙ୍କ ଡିଡି ଚିରିବା ଯୁବନେତାଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ପାଟଣା ପୁଲିସ ଆଜି ଜିଲ୍ଲା ବିଜେଡି ଯୁବ ଉପସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ସାହାରପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ବାହାରିଥିଲା । କାର୍ଯ୍ୟକୁ ନିଜେ ନିଜେ କରିବା ପାଇଁ ସଲାସୁତୁରା କରି ଟେଣ୍ଡର ଫିକ୍ସିଂ ହୋଇଥିବାବେଳେ ଅନ୍ୟଜଣେ ଠିକାଦାର ଟେଣ୍ଡର ପକାଇବା ଲାଗି କାର୍ଯ୍ୟାଳୟର ମୁଖ୍ୟ କିରାଣୀ ନିକଟରେ ଡିଡି ଦାଖଲ କରିଥିଲେ। ଏହି ସମୟରେ ଦିପୁ ଟେଣ୍ଡରଧାରୀଙ୍କ ୧୧ଟି ଡିଡିକୁ ଚିରି ସେଠାରେ ହଙ୍ଗାମା କରିଥିଲେ। ଏନେଇ ସାହାରପଡ଼ା ବିଡିଓ ଲମ୍ବୋଦର ଖୁଣ୍ଟିଆ ପାଟଣା ଥାନାରେ ଅଭିଯୋଗ କରିବା ପରେ ଦିପୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ ହୋଇଥିଲା । ପରେ ଅଭିଯୋଗ ଆଧାରରେ ପାଟଣା ଥାନା ଦିପୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ କହିଛନ୍ତି।