ସିଆରପିଏଫ୍ ଏସ୍ଆଇଙ୍କ ଟଙ୍କା ଚୋରି ଘଟଣା, କନଷ୍ଟେବଳ ଗିରଫ

  • ଭୁବନେଶ୍ୱର, ସାଧାରଣ ଲୋକଟିଏ ଠକେଇର ଶିକାର ହେଲେ ପୁଲିସର ସହଯୋଗ ଲୋଡିଥାନ୍ତି। ହେଲେ ଜଣେ ସବ୍‍ ଇନସପେକ୍ଟରଙ୍କୁ କନଷ୍ଟେବଳ ଚୂନ ଲଗାଇ ୮ ଲକ୍ଷ ୫୦ ହଜାର ଟଙ୍କା ଠକି ନେବା ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଥିଲା। ଗୋଟିଏ ସପ୍ତାହର ଲୁଚକାଳି ପରେ ଶେଷରେ ପୁଲିସକୁ ବାନ୍ଧିଲା ପୁଲିସ। ନୂଆପଲ୍ଳୀ ଥାନା ଠକେଇ ଘଟଣାରେ ଫେରାର ଥିବା କନଷ୍ଟେବଳଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସିଆରପିଏଫରେ କାର୍ଯ୍ୟରତ କଟକ ସଦରର ଗିରଫ କନଷ୍ଟେବଳ ହେଉଛନ୍ତି ପ୍ରିୟବ୍ରତ ପ୍ରିୟଦର୍ଶନ ପତି (୩୦)। ଶ୍ରୀ ପତିଙ୍କଠାରୁ ନୂଆପଲ୍ଳୀ ଥାନା ପୁଲିସ ୮ଲକ୍ଷ ୪୦ ହଜାର ଟଙ୍କା ଜବତ କରିଛି। ରବିବାର ଅଭିଯୁକ୍ତ କନଷ୍ଟେବଳକୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ ହାଜତକୁ ପଠାଯାଇଛି। ସୂଚନାଯୋଗ୍ୟଯେ, ନୂଆପଲ୍ଳୀ ଥାନା ସିଆରପିଏଫ୍ରେ ସବ୍‍ ଇନ୍ସପେକ୍ଟରଭାବେ କାର୍ଯ୍ୟ କରନ୍ତି ହରିୟାଣା ଝାରଝର ଜିଲ୍ଲା ସୁଲଦାର ଗ୍ରାମର ରାଜ ପାଲ୍‍(୫୭)। ସପ୍ତାହେ ତଳେ ରାଜପାଲ ଅସୁସ୍ଥ ହେବାରୁ ତାଙ୍କୁ ସିଆରପିଏଫ କ୍ୟାମ୍ପସରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅପରେସନ ହେବାରୁ ତାଙ୍କ ପାଖରେ ପ୍ରିୟବ୍ରତ ପ୍ରିୟଦର୍ଶନ ପତିଙ୍କୁ ନିୟୋଜିତ କରିଥିଲେ। ପ୍ରିୟବ୍ରତ ଶ୍ରୀ ପାଲଙ୍କ ପାଖରେ ରହି ସେବା କରିବା ସହ ଏଟିଏମରୁ ଟଙ୍କା ଉଠାଇ ସବୁ ଜିନିଷ ନେବା ଆଣିବା କରୁଥିଲେ । ଶ୍ରୀ ପାଲ ଅସୁସ୍ଥ ହେବାର ସୁଯୋଗ ନେଇ ଅଭିଯୁକ୍ତ କନଷ୍ଟେବଳ ତାଙ୍କ ଏଟିଏମରୁ କିସ୍ତି କିସ୍ତି କରି ୮ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଇ ଚମ୍ପଟ ମାରିଥିଲା। ଶ୍ରୀ ପାଲ ଜାଣିବା ପରେ ଏନେଇ ନୂଆପଲ୍ଳୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନୂଆପଲ୍ଳୀ ଥାନା ପୁଲିସ ଠକେଇ ମାମଲା ରୁଜୁୁ କରି ଫେରାର ଥିବା କନଷ୍ଟେବଳଙ୍କୁ କଟକରୁ ଗିରଫ କରିଥିଲା। ରବିବାର ୮ଲକ୍ଷ ୪୦ ହଜାର ଟଙ୍କା ଜବତ କରିବା ପରେ କୋର୍ଟଚାଲାଣ କରିଛି।