ପରିବାର ପ୍ରତିପୋଷଣ ପାଇଁ ପାଠପଢ଼ା ଛାଡ଼ି ହଳ ଲଙ୍ଗଳ ଧରିଲେ ଯୁବତୀ

ମାଲକାନଗିରି,ଏନ୍ଏନ୍ଏସ୍: ହାତରେ କଲମ ଧରି ଭବିଷ୍ୟତ ଗଢ଼ିବା ବଦଳରେ ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ପାଇଁ ହଳ ଧରିବାକୁ ବାଧ୍ୟ ହୋଇଛନ୍ତି ମାଲକାନଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳର ଝିଅ। ସେ ହେଉଛନ୍ତି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତର ତେଗଡ଼ାପଲ୍ଲୀ ଗ୍ରାମର ସୋମେ ମାଡ଼ି(୨୦)। ପରିବାର ପାଇଁ ବର୍ତ୍ତମାନ ସେ ହିଁ ରୋଜଗାରର ମୁଖ୍ୟ ମାଧ୍ୟମ ଥିବାରୁ ପାଠପଢ଼ାରେ ଛାଡ଼ି ଚାଷ କରୁଛନ୍ତି।

ଗତ ୯ ବର୍ଷ ପୂର୍ବେ ସୋମେଙ୍କ ବାପା ସାବେରୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଏହାର କିଛିବର୍ଷ ପରେ ଗତ ୨୦୧୮ ମସିହାରେ ମା’ ଇର୍ମେଙ୍କ ଶରୀର ଦୁର୍ବଳ ହୋଇପଡ଼ିବାରୁ ସୋମେ ନିଜର ପାଠପଢ଼ା ଓ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ଏପରି ସ୍ଥିତିରେ ମଧ୍ୟ ସୋମେ ଅସୁସ୍ଥ ମା’ ଓ ଛୋଟ ଭାଇ ଭଉଣୀଙ୍କ ଦେଖାଶୁଣା କରିବା ସହ ପାଠ ପଢ଼ି ଯୁକ୍ତ ଦୁଇ ପାସ୍ କଲେ।

ଏପଟେ ପରିବାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିବାରୁ ମାଆ ଓ ଛୋଟ ଭାଇ ଭଉଣୀଙ୍କ ପେଟକୁ ଦାନା ଯୋଗାଇବା ସହ ଛୋଟ ଭାଇ ରମେଶକୁ ପାଠ ପଢ଼ାଇବା ପାଇଁ ନିଜେ କଲମ ଛାଡ଼ି ହଳ ଲଙ୍ଗଳ ଧରିବାକୁ ସ୍ଥିର କରିଛନ୍ତି। ଚାଷ କରିବା ଶିଖିନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପଚାରି ପଚାରି ଚାଷ କରୁଛନ୍ତି। ଝିଅ ପିଲା ହେଲେ ମଧ୍ୟ ସୋମେ ଚଳିତ ବର୍ଷ ପ୍ରଥମ ବର୍ଷା ପରେ ନିଜ ଜମିରେ ହଳ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ନିଜର ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ପ୍ରତିପୋଷଣ କରୁଥିବା ଦୁର୍ଗମ ଅଞ୍ଚଳର ଏହି ଝିଅ ସମାଜ ପାଇଁ ପ୍ରେରଣାଦାୟୀ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ପଢା ପ୍ରତି ବହୁତ ଆଗ୍ରହ ଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଯଦି ସରକାରୀ ସହାୟତା ମିଳିବ, ତେବେ ସୋମେ ନିଜ ପାଠପଢାକୁ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।