ବରୀ,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଶଙ୍କରାକୁଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ୨ ଜଣ ଯୁବକ ନଦୀରେ ବୁଡ଼ି ଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଦ୍ୱୟ ବାଲିଆ ଗାଁର ସୁନିଲ ମିଶ୍ର ଓ ଜିତେନ୍ଦ୍ର ପଣ୍ଡା ବୋଲି ଜଣାପଡ଼ିଛି।
ଆଜି ମଧ୍ୟାହ୍ନରେ ନଦୀକୁ ସେମାନେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ନଦୀରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଦେଖିବା ପରେ ନଦୀରେ ଖୋଜାଖୋଜି ଆରମ୍ଭ କରାଯିବା ସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଗ୍ରାମବାସୀଙ୍କ ଦ୍ୱାରା ପ୍ରଥମେ ଜିତେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପରେ ବରୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୁନିଲଙ୍କ ମୃତ ଦେହ ମଧ୍ୟ ଉଦ୍ଧାର କରିଥିବା ଜଣାପଡ଼ିଛି। ୨ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।