ପୁଅର ଜନ୍ମ ଦିନରେ ଚକ୍ଷୁ ସହ ଅଙ୍ଗଦାନ କଲେ ପୂରା ପରିବାର

ବରଗଡ଼,ଏନ୍ଏନ୍ଏସ୍: ପୁଅର ଜନ୍ମ ଦିନରେ ଚକ୍ଷୁ ସହ ଅଙ୍ଗଦାନ କଲେ ପୂରା ପରିବାର। ଏପରି ନିଆରା ଉଦାହରଣ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ରାଇସଲପଦର ଗାଁ’ରେ ଦେଖିବାକୁ ମିଳିଛି। ରାଇସଲପଦର ଗ୍ରାମର ପ୍ରେମାନନ୍ଦ ସାହୁଙ୍କ ପରିବାର କହିଲେ ପତ୍ନୀ ପଦ୍ମିନୀ ସାହୁ ଏବଂ ପୁଅ ମୁକେଶ କୁମାର ସାହୁ। ଆଜି ତାଙ୍କର ଏକମାତ୍ର ପୁଅ ମୁକେଶର ୨୭ ତମ ଜନ୍ମଦିନ। ଏହି ପରିପ୍ରେକ୍ଷୀରେ ପରିବାର ଲୋକେ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି। ଏହି ଜନ୍ମଦିନରେ ନା କେକ କଟା ଯାଇଥିଲା ନା ସାଙ୍ଗସାଥୀଙ୍କୁ ଭୋଜିରେ ଆମନ୍ତ୍ରିତ କରାଯାଇଥିଲା। ବରଂ ପରିବାର ବର୍ଗ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଫଳରେ ଅଞ୍ଚଳରେ ତାଙ୍କୁ ତଥା ତାଙ୍କ ପରିବାରକୁ ପ୍ରଶଂସାର ସୁଅ ଛୁଟୁଛି।

ସାମାଜିକ କର୍ମୀ ଭାବରେ ବେଶ ଜଣାଶୁଣା ମୁକେଶ ଆଜି ଜନ୍ମ ଦିନରେ ପିତା ପ୍ରେମାନନ୍ଦ, ମାଆ ପଦ୍ମିନୀଙ୍କ ସହ ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିବା ସହିତ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେମାନେ ଆବଶ୍ୟକୀୟ ଦସ୍ତାବିଜରେ ସ୍ୱାକ୍ଷର କରି ବୁର୍ଲା ମେଡ଼ିକାଲକୁ ପଠାଇଛନ୍ତି। ଅଙ୍ଗଦାନ ନିଷ୍ପତ୍ତି ମେଡ଼ିକାଲ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବେଶ ସହାୟକ ହୋଇପାରିବ ବୋଲି ସାହୁ ପରିବାର ଆଶାବ୍ୟକ୍ତ କରିଛନ୍ତି।