ୟୁରୋ-୨୦୨୦: ଇଂଲଣ୍ଡ-ସ୍କଟଲ୍ୟାଣ୍ଡ ମ୍ୟାଚ୍ ଗୋଲ୍‌ଶୂନ୍ୟ

ଲଣ୍ଡନ,ଏଜେନ୍ସି: ସ୍ଥାନୀୟ ୱିମ୍ବଲେ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୟୁରୋ କପ୍‌ର ଗ୍ରୁପ୍‌-ଡି’ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଛି। ୧୮୭୨ ପରେ ଇଂଲଣ୍ଡ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ଏହା ୧୧୫ତମ ମ୍ୟାଚ୍ ଥିଲା। ଏହା ପୂର୍ବରୁ ୧୯୯୬ ୟୁରୋ କପ୍‌ରେ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୨-୦ରେ ବିଜୟୀ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଟିମ୍ ଶେଷ ପର୍ଯ୍ୟନ୍ତ ଗୋଲ୍ କରିବା ନିମନ୍ତେ ବହୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ।

ସ୍କଟ୍‌ଲାଣ୍ଡ ଟିମ୍ ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ୟୁରୋ ଖେଳିବାକୁ ଯୋଗ୍ୟତା ଅର୍ଜନ କରିିଛି। ଏହି ଡ୍ର’ ପରେ ସ୍କୁଟ୍‌ଲାଣ୍ଡ ଦୁଇଟି ମ୍ୟାଚ୍‌ରୁ ଗୋଟିଏ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ସହ ୪ ପଏଣ୍ଟ ନେଇ ଟେବଲ୍‌ରେ ଚେକ୍ ଗଣରାଜ୍ୟ ପଛକୁ ଦ୍ୱିତୀୟରେ ଥିବା ଇଂଲଣ୍ଡ ନକ୍‌ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବା ଆଶା ବଳବତ୍ତର ରଖିଛି। ଟିମ୍ ଗ୍ରୁପ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ଚେକ୍ ଗଣରାଜ୍ୟକୁ ଭେଟିବ।