ନୂଆଦିଲ୍ଲୀ,ଏଜେନ୍ସି: ଜୁନ୍ ୨୪ରେ ଜମ୍ମୁ-କଶ୍ମୀରର ରାଜନୈତିକ ଦଳର ପ୍ରମୁଖ ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ରାଜନୈତିକ ଗତିବିଧିକୁ ତ୍ୱରାନ୍ୱିତ କରିବା ସହ ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ରର ଏହା ଏକ ପ୍ରୟାସ ବୋଲି କୁହାଯାଉଛି।
୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ହଟାଇ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବାପରେ କେନ୍ଦ୍ର ସରକାରଙ୍କର ଏହା ହେଉଛି ପ୍ରଥମ ପଦକ୍ଷେପ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି, ଜମ୍ମୁ-କଶ୍ମୀର ଅପନୀ ପାର୍ଟିର ଅଲତାଫ୍ ବୁଖାରୀ ଏବଂ ପିପୁଲ୍ସ କନଫରେନ୍ସ ମୁଖ୍ୟ ସଜ୍ଜାଦ୍ ଲୋନଙ୍କୁ ବୈଠକକୁ ଆମନ୍ତ୍ରିତ କରାଯାଇଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସେମାନଙ୍କୁ କେନ୍ଦ୍ର ତରଫରୁ ଚିଠି କରାଯାଇଛି। ତେବେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ମେହବୁବା କହିଛନ୍ତି। କେନ୍ଦ୍ର ପକ୍ଷରୁ ପଠାଯାଇଥିବା ଚିଠିରେ ଉଭୟ ମେହବୁବା ଏବଂ ଅବଦୁଲ୍ଲାଙ୍କୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରାଯାଇଛି।