ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ମୃତ

ରାୟଗଡ଼ା,ଏନ୍ଏନ୍ଏସ୍: ପାରିବାରିକ କଳହକୁ ନେଇ ବିଭତ୍ସ ହତ୍ୟାକାଣ୍ଡ। ସା୍ୱମୀର ଶାବଳ ମାଡ଼ରେ ସ୍ତ୍ରୀ ମୃତ୍ୟବରଣ କରିଥିବାବେଳେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ରାୟଗଡ଼ା ଥାନା ଅନ୍ତର୍ଗତ ଫୁଲଗୁଡ଼ା ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ରତନୁ ନିସିକା ପୂର୍ବରୁ ବିବାହ କରିଥିବାବେଳେ କୌଣସି କାରଣରୁ ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିଲେ। ପରେ ଚମ୍ପା ନିସିକା(୨୫)ଙ୍କୁ ବିବାହ କରିଥିଲେ । ଚମ୍ପା ନିସିକା ଗର୍ଭରୁ ଗୋଟିଏ ୮ ମାସର ଶିଶୁ କନ୍ୟା ରହିଥିବାବେଳେ ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା। ତେବେ ଗତ ମଙ୍ଗଳବାର ରାତିରେ ରତନୁ ମଦ୍ୟପାନ କରି ଘରକୁ ଫେରିଥିବାବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ରତନୁ କ୍ରୋଧାନ୍ୱିତ ହୋଇ ଶାବଳରେ ଅତର୍କିତ ଭାବେ ଚମ୍ପାର ମୁଣ୍ଡ ଓ ବେକକୁ ବାରମ୍ବାର ପ୍ରହାର କରିଥିଲେ। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଚମ୍ପା ମୃତ୍ୟୁବରଣ କରିଥିଲେ। ହତ୍ୟାକାଣ୍ଡ ଘଟିବା ପରେ କିଛି ସମୟ ପାଇଁ ଫଉଲଗୁଡ଼ା ଗ୍ରାମ ଜନଶୂନ୍ୟ ହୋଇପଡ଼ିଥିଲା। ହେଲେ କୌଣସି ସୂତ୍ରରୁ ଖବରପାଇ ରାୟଗଡ଼ା ଟାଉନ ଥାନାଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସଦଳବଳେ ଉକ୍ତ ଗ୍ରାମକୁ ଯାଇ ଶବ ଜବତ କରିଥିଲେ। ଏଥିସହିତ ଗାଁରେ ଖୋଜାଖୋଜି କରିବା ପରେ ଅଭିଯୁକ୍ତ ସ୍ୱାମୀ ରତନକୁ ଧରିବାରେ ସଫଳ ହୋଇଥିଲେ। ଏଥିସହିତ ଆଜି ପୁଲିସ ଉକ୍ତ ଗ୍ରାମକୁ ଯାଇ ମୃତ ଚମ୍ପାଙ୍କ ପରିବାର ଲୋକ ଓ ପଡ଼ୋଶୀଙ୍କ ବୟାନ ରେକର୍ଡ କରିଛି।