ଦିନିକିଆ କ୍ରିକେଟ୍‌ରୁ ଓ’ବ୍ରାଏନ୍‌ଙ୍କ ଅବସର

ଲଣ୍ଡନ,ଏଜେନ୍ସି: ଆୟର୍ଲାଣ୍ଡର ଷ୍ଟାର୍ ଅଲ୍‌ରାଉଣ୍ଡର୍ କେଭିନ୍ ଓ’ବ୍ରାଏନ୍ ଶୁକ୍ରବାର ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ସେ ଟେଷ୍ଟ ଏବଂ ଟି-୨୦ ଫର୍ମାଟ୍ ପାଇଁ ଉପଲବ୍ଧ ରହିବେ ବୋଲି କହିଛନ୍ତି। ୨୦୦୬ରେ ଆୟର୍ଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭ କରିଥିବା ଓ’ବ୍ରାଏନ୍ କ୍ୟାରିୟରରେ ମୋଟ ୧୫୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏହା ମଧ୍ୟରେ ସେ ୩୬୧୮ ରନ୍ ଏବଂ ୧୧୮ଟି ୱିକେଟ୍ ହାସଲ କରିଛନ୍ତି।

ସେହିପରି ବିଶ୍ୱ କପ୍‌ରେ ଦ୍ରୁତତମ ଶତକର ରେକର୍ଡ ୩୭ ବର୍ଷୀୟ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ନାମରେ ମଧ୍ୟ ରହିଛି, ଯାହା ଏବେ ବି ବଳବତ୍ତର ଅଛି। ୨୦୧୧ରେ ବେଙ୍ଗାଲୁରୁର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ ୬୩ ବଲ୍‌ରେ ୧୪ ଚୌକା ଓ ୬ ଛକା ସହାୟତାରେ ସେ ୧୧୩ ରନ୍ କରିଥିଲେ। ଏହି ଅବସରରେ ୫୦ ବଲ୍‌ରେ ସେ ଶତକ ପୂରା କରିଥିଲେ। ଏହି ମ୍ୟାଚ୍‌ରେ ସେ ନିଜ ଦମ୍‌ରେ ଟିମକୁ ବିଜୟ ଦେଇଥିଲେ। ୧୫ ବର୍ଷ ଆୟର୍ଲାଣ୍ଡ ଟିମ୍ ପକ୍ଷରୁ ଖେଳିବା ପରେ ଏହା ଅବସର ଗ୍ରହଣର ସଠିକ୍ ସମୟ ବୋଲି ଏହି ଘୋଷଣା ପରେ ଓ’ବ୍ରାଏନ୍ କହିଛନ୍ତି। ଏହା ଏକ ସହଜ ନିଷ୍ପତ୍ତି ନଥିଲେ ମଧ୍ୟ ପୂର୍ବପରି ଦିନିକିଆ ଟିମ୍‌କୁ ସେବା ଯୋଗାଇ ପାରିବି ନାହିଁ ବୋଲି ଅନୁଭବ କରୁଛି।