୨୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ ସହିତ ୧୦୦ ଲିଟର ଦେଶୀ ମଦ ଜବତ

ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକ୍ କୁଳୁତାପଡ଼ା ପଞ୍ଚାୟତର ବନ୍ଧପଡା ଗାଁ’ରେ ଗୁରୁବାର ଦିନ ଅବକାରୀ ବିଭାଗ ଚଢ଼ଉ କରି ମଦ ଓ ମହୁଲ ପୋଚକୁ ଜବତ କରିଛି। ବଲାଙ୍ଗିର ପୁଲିସ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ପରିପ୍ରେକ୍ଷୀରେ ବନ୍ଧପଡାର ଶୁଲିଆ ଜଙ୍ଗଲରେ ଚାଲିଥିବା ଦେଶୀ ରନ୍ଧା ମଦ କାରଖାନାରୁ ୨୦ କୁଇଣ୍ଟାଲ ମହୁଲ ପୋଚ ସହ ୧୦୦ ଲିଟର ରନ୍ଧା ମଦକୁ ଜବତ ହୋଇଛି।

ଆଜିର ଏହି ଚଢ଼ଉରେ ଅବକାରୀ ଆଇଆଇସି ଉଦୟ ଲାଲ ନାଏକ, ପି କେ ପଣ୍ଡା, ଅରୁଣ ଯୋଶୀ ସହ ତୁଷୁରା ଓ ବଲାଙ୍ଗିର ସଦର ଓଆଇସି ସାମିଲ ଥିଲେ। ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ବେଧଡକ ଭାବରେ ମଦ ରନ୍ଧା କାରବାର ଚଲୁଥିବାର ଅଭିଯୋଗ ହେଉଛି। ବିଶେଷ କରି ସାପ୍ତାହିକ ହାଟ ବସୁଥିବା ସ୍ଥାନ, ବନ୍ଧଆଡ଼ି, ଖେଳ ପଡ଼ିଆ, ଗାଁମୁଣ୍ଡ ନିଛାଟିଆ ସ୍ଥାନରେ ଖୋଲା ଖୋଲି ଭାବେ ଦେଶୀ ମଦ ବିକ୍ରି ହେଉଛି। ସେହିପରି ଜଙ୍ଗଲ ଘେର ଗାଁ ମୁରସିଂହ, ଦେଷଣ୍ଢ, ଠାଲବନ୍ଦ, କୁକୁରଖାଇ, ଦୁମେରଜୋର, ସତୀଘାଟ, ମିର୍ଧାପାଲି, ଫଟା ମିଣ୍ଡା, ଶୁଲିଆ ଜଙ୍ଗଲ, ବନ୍ଧପଡା ଅଞ୍ଚଳରେ ବି ବେଆଇନ ରନ୍ଧାମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି।