ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ ସ୍ଥିତିରେ ଧୀରେଧୀରେ ସୁଧାର ହେଉଛି। ଏଥିସହିତ ସବୁସ୍ଥାନରେ ଟିକାକରଣକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୭ କୋଟିରୁ ଅଧିକ ଡୋଜ ଟିକା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ କେନ୍ଦ୍ର ସରକାର ୨୭ କୋଟି ୨୮ ଲକ୍ଷ ୩୧ ହଜାର ୯୦୦ ମାଗଣା କୋଭିଡ ଟିକା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ୧ କୋଟି ୮୨ ଲକ୍ଷ ୮୬ ହଜାର ୨୦୮ଟି କୋଭିଡ ଟିକା ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଗତକାଲିର ରିପୋର୍ଟ ଅନୁସାରେ ୨୦ ଲକ୍ଷ ୯୯ ହଜାର ୬୨୧ଟି ଟିକା ପ୍ରଥମ ଡୋଜ ଭାବେ ଓ ୧ ଲକ୍ଷ ୧୬ ହଜାର ୩୨୬ଟି ଟିକା ଦ୍ୱିତୀୟ ଡୋଜ ଭାବେ ୧୮-୪୪ ବର୍ଷ ବୟସ ଲୋକଙ୍କୁ ଦିଆଯାଇଛି।
ସୂଚନା ଅନୁସାରେ ଭାରତରେ ଜାନୁଆରୀ ୧୬ରୁ ପର୍ଯ୍ୟାୟ କ୍ରମେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ପରେ ଫେବୃଆରୀ ୨ରେ ଦ୍ୱିତୀୟ ପର୍ଯ୍ୟାୟରେ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିଲା। ମାର୍ଚ୍ଚ ୧ରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ସ୍ୱତନ୍ତ୍ର ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା ବେଳେ ଏପ୍ରିଲ ୧ରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ କରାଯାଇଥିଲା। ପରେ ମେ’୧ରୁ ରାଜ୍ୟର ସମସ୍ତ ୧୮-୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ କରାଯାଇଥିଲା।