ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଜେପି କୃଷକ ମୋର୍ଚ୍ଚା ଆଜି ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ୬ଦଫା ଦାବିପତ୍ର ପ୍ରଦାନ କରିିଛି। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରି ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଦାବିପତ୍ରରେ ଝାରସୁଗୁଡ଼ାର ଅନେକ ଚାଷୀଙ୍କୁ ଏଯାଏଁ ରବି ଧାନ ବିକ୍ରି ପାଇଁ ଟୋକାନ ମିଳିନାହିଁ। ନିଜସ୍ୱ ଉଦ୍ୟମରେ ମାଲ ଏବଂ ଟିକ୍ରା ଜମିରେ ଜଳସେଚନ କରି ଚାଷ କରିଥିବା ଚାଷୀ ତଥା ଉଠା ଜଳସେଚନରୁ ଧାନ ଅମଳ କରିଥିବା ଚାଷୀଙ୍କର ସର୍ବେକ୍ଷଣ କରି ତାଙ୍କୁ ଶୀଘ୍ର ଟୋକନ ପ୍ରଦାନ କରି ଧାନ କ୍ରୟ କରାଯାଉ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ଜିଲ୍ଲାର ଅନେକ ଚାଷୀଙ୍କ କାଗଜ ପତ୍ର ଠିକ ରହିଥିଲେ ମଧ୍ୟ ସେମାନେ ଆଜି ସୁଦ୍ଧା ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିପାରି ନାହାନ୍ତି। ଏହି ଚାଷୀଙ୍କର ପଞ୍ଜିକରଣ ବ୍ୟବସ୍ଥା କରାଯାଉ। ରବି ଧାନ ବିକ୍ରି କରିବା ପୂର୍ବରୁ ଯେଉଁ ଚାଷୀଙ୍କର ଟୋକନ ଲେପ୍ସ ହୋଇଯାଇଛି ସେମାନଙ୍କୁ ପୁଣି ଟୋକନ ପ୍ରଦାନ କରାଯାଉ। ଧାନ କ୍ରୟ ସମୟରେ ମିଲର୍ସମାନେ କରୁଥିବା କଟନୀ ଛଟନୀ ଉପରେ ରୋକ ଲଗାଯାଉ। ଅଦିନିଆ ବର୍ଷା ଯୋଗୁ ରବି ଧାନ ଉଜୁଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ଅନ୍ୟପଟେ ଲହଣ୍ଡାବୁଡ଼ ସମବାୟ ସମିତି ଜରିଆରେ ଚାଷୀମାନେ ବିକ୍ରି କରଥିବା ଧାନକୁ ମିଲ ମାଲିକ ନରଖି ଫେରସ୍ତ କରିଥିବା ଘଟଣାର ତଦନ୍ତ କରାଯାଉ ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।