ନୂଆଦିଲ୍ଲୀ: ନୂଆ ଆଇଟି ନିୟମର ଅବମାନନା ନେଇ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଗାଜିଆବାଦ ମାମଲା ହଇଚଇ ସୃଷ୍ଟି କରିଥିବାବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ଟ୍ୱିଟର ବିରୋଧରେ ଟ୍ୱିଟ୍ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଆଇନରୁ କେହି ବି ବଂଚିପାରିବେ ନାହିଁ। ଯଦି କୌଣସି ବିଦେଶୀ ସଂସ୍ଥା ଭାରତରେ ଅଭିବ୍ୟକ୍ତିର ସ୍ୱାଧୀନତାର ମୁଖ୍ୟ ପୁରୋଧା ସାଜି ନିଜକୁ ଆଇନ କବଳରୁ ବଞ୍ଚାଇବାକୁ ଚାହିଁବ, ତା’ହେଲେ ଏମିତି ଚେଷ୍ଟା ଫଳପ୍ରଦ ହେବନାହିଁ। ମେ’ ୨୬ରୁ ଟ୍ୱିଟର ନିୟମ ଅନୁପାଳନ କରିବାରେ ବିଫଳ ହୋଇଛି। ଟ୍ୱିଟରକୁ ଅନେକ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ନିୟମ ପାଳନ ନ କରିବାକୁ ଚୟନ କରିଛି। ଗାଜିଆବାଦରେ ଯାହା ହେଲା ତାହା ବିରୋଧରେ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଚକିତ କରିଛି।