ବିଜେପି ବଙ୍ଗ ନିର୍ବାଚନ ହାରିବା ପରେ ମିଥୁନଙ୍କ ପାଇଁ ବଢ଼ିଲା ଅଡ଼ୁଆ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ବିଜେପିରେ ସାମିଲ ହୋଇଥିବା ଫିଲ୍ମ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ବଢ଼ିଛି ଅଡ଼ୁଆ। ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ସମୟରେ ମିଥୁନ ଦେଇଥିବା ଭାଷଣକୁ ନେଇ ପୁଲିସରେ ଅଭିଯୋଗ ଦାଖଲ ହୋଇଛି। ଏହାକୁ ନେଇ ଭର୍ଚ୍ଚୁଆଲ ମାଧ୍ୟମରେ ତାଙ୍କୁ ପଚରାଉଚରା କରୁଛି ପଶ୍ଚିମବଙ୍ଗ ପୁଲିସ।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ଥିଲେ ମିଥୁନ। ମିଥୁନଙ୍କ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗ ଅନୁସାରେ ନିର୍ବାଚନୀ ପ୍ରଚାର ସମୟରେ ମିଥୁନ ଦେଇଥିବା ଭାଷଣ ଯୋଗୁଁ ସେଠାରେ ହିଂସାକାଣ୍ଡ ଘଟିଛି। ମିଥୁନ ତାଙ୍କ ଭାଷଣରେ କହିଥିଲେ କି ‘ମୁଁ ତୁମକୁ ମାରିବି ଏଠି, ଆଉ ତମ ଶରୀର ଶ୍ମସାନରୁ ମିଳିବ’। ଏହି ଅଭିଯୋଗକୁ ଖାରଜ କରିବା ପାଇଁ ମିଥୁନ କୋଲକାତା ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହିତ ମିଥୁନ ପୁଲିସକୁ କହିଛନ୍ତି କି ପ୍ରଚାର ସମୟରେ ମୁଁ କେବଳ ଫିଲ୍ମର ଡାଇଲଗ କହିଥିଲି, ଏହାର କୌଣସି ବାସ୍ତବିକ ମୂଲ୍ୟ ନାହିଁ।