ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅନାଥ ଭାଇଭଉଣୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପୁଲାପାଲ୍ଲୀ ଗ୍ରାମର ୪ଜଣ ଅନାଥ ଶିଶୁଙ୍କ ଚଳିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ସେମାନେ ଜିଲ୍ଲା ପ୍ରଶାସନର ସହାୟତା ଲଢ଼ିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ସଂପୃକ୍ତ ଗ୍ରାମର ଭୀମ ପୁଲା, ମୀନତି ପୁଲା, ସବିତା ପୁଲା ଓ ଶୀବ ପୁଲାଙ୍କ ମା’ଗତ ୪ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ପରେ ଗତ ୩ ବର୍ଷ ତଳେ ପିତା ରାମ ପୁଲା ପରିବାରକୁ ଛାଡ଼ି କୁଆଡ଼େ ଚାଲିଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। କରୋନା ଯୋଗୁ ଏବେ ବିଦ୍ୟାଳୟ ବନ୍ଦ ଥିବାରୁ ୪ ଭାଇଭଉଣୀ ସମ୍ପର୍କୀୟଙ୍କ ଘରେ କିଛିଦିନ ଲେଖାଏଁ ରହୁଛନ୍ତି। ଏଭଳି ପରିସ୍ଥିତିରେ ସରକାରୀ ସାହାଯ୍ୟ କହିଲେ କେବଳ ୨୦ କିଲୋଗ୍ରାମ ଚାଉଳ ମିଳୁଛି। ତେଣୁ ଚଳିବା ପାଇଁ ବିଭିନ୍ନ ସମସ୍ୟା ହେଉଥିବାରୁ ପ୍ରତିପୋଷଣ ପାଇଁ ଆର୍ଥିକ ସହାୟତା ସହ ପାଠ ପଢ଼ିବା ପାଇଁ ଖାତା, ବହି, ପେନ, ପେନସିଲ ଓ ପୋଷାକ ଯୋଗାଇ ଦେବାକୁ ମାଲକାନଗିରି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।