ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଆଜି ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ସନ୍ୟାସୀପାଲି ଛକ ନିକଟରେ କୁଚିଣ୍ଡା ପଟୁ ଦ୍ରୁତ ଗତିରେ ଝାରସୁଗୁଡ଼ା ପଟକୁ ଆସୁଥିବା ଏକ ଭାରୀଯାନ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ସନ୍ୟାସିପାଲି ଗ୍ରାମର ଦିନବନ୍ଧୁ ମାଝୀ(୫୦) ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ମୃତକ ପରିବାରକୁ କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ ଘଟଣାସ୍ଥଳକୁ କୋଲାବିରା ଅତିରିକ୍ତ ତହସିଲଦାର ଓ ଥାନାଧିକାରୀ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରେଡକ୍ରସ ଓ ଗାଡ଼ି ମାଲିକଙ୍କଠାରୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ସେହିପରି ଏକ ବଜାଜ ପ୍ଲାଟିନା ବାଇକରେ ୨ଜଣ ଯୁବକ ବାଗଡ଼ିହି ପଟୁ ଝାରସୁଗୁଡ଼ା ଫେରୁଥିବାବେଳେ କାଦୋବାହାଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ସୁନ୍ଦରଗଡ଼ ଜିଲ୍ଲା ତାଳସରା ଥାନା ଚିକଟମାଟି ଗ୍ରାମର ରାଜା ବାଗ(୨୪) ଏବଂ ଆହତ ଜଣକ ମୋହନ ସୁନା ବୋଲି ବାଗଡ଼ିହି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।