ସାଙ୍ଗର ଠେଙ୍ଗା ମାଡ଼ରେ ସାଙ୍ଗ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ଠାରେ ସାଙ୍ଗର ଠେଙ୍ଗା ମାଡ଼ରେ ଆଉ ଜଣେ ସାଙ୍ଗର ମୃତ୍ୟୁ ହୋଇଛି। ମୃତକ ଜଣକ ଗୁମାଡ଼େରା ଲୁହୁରାପଡ଼ାର ମନୋଜ ବିଶ୍ୱାଳ(୩୧) ହୋଇଥିବାବେଳେ ତାଙ୍କୁ ଠେଙ୍ଗାରେ ମାଡ ମାରିଥିବା ସାଙ୍ଗ ଜଣକ ଖମାରପଡ଼ାର ପ୍ରମୋଦ ଭୋଇ (୩୧) ବୋଲି ବେଲପାହାଡ଼ ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ବୁଧବାର ରାତିରେ ମନୋଜ ଓ ପ୍ରମୋଦ ଖମାରପଡ଼ାରେ ଏକ ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ। ସେଠାରୁ ସେମାନେ ଗୁମାଡ଼େରା ଲୁହୁରାପଡ଼ାକୁ ଚାଲି ଚାଲି ଆସିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ପ୍ରମୋଦ ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗାରେ ମନୋଜଙ୍କ ମୁଣ୍ଡରେ ମାଡ଼ ମାରିଥିଲେ। ଆଉ ମନୋଜ ଗୁରୁତର ହୋଇ ତଳେ ପଡ଼ିଯିବା ପରେ ପ୍ରମୋଦ ସେଠାରୁ ଫେରାର ହୋଇ ଯାଇଥିଲା। କିଛି ସମୟ ପରେ ରାସ୍ତା ଉପରେ ମନୋଜ ଲହୁ ଲୁହାଣ ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥାଳରେ ପୁଲିସ ପହଂଚି ମନୋଜକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କିରଥିଲେ। ଏନେଇ ବେଲପାହାଡ଼ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାଣ୍ଡ ଘଟାଇଥିବା ପ୍ରମୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।