୧୮-୪୪ ବୟସ୍କଙ୍କ ପାଇଁ ଟିକାକରଣ କାଲିଠାରୁ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାରେ ଆସନ୍ତାକାଲି କାଲିଠାରୁ ୧୮-୪୪ବର୍ଷ ବ୍ୟକ୍ତିଙ୍କୁ ଟିକାକରଣ କରାଯିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପୌରାଞ୍ଚଳର ଧରଣୀଧର ୟୁପି ସ୍କୁଲ ଓ ରାଜା ବାସୁଦେବ ଉଚ୍ଚବିଦ୍ୟାଳୟର ପୁରୁଣା ଛାତ୍ରାବାସ ପରିସରରେ ଦୁଇଟି ଭ୍ୟାକସିନେସନ ସେଣ୍ଟର ଖୋଲାଯାଇଛି। ସକାଳ ୮ଟାଠାରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ ପାଇଁ ସମୟ ନିର୍ଘଣ୍ଟ ରଖା ଯାଇଥିବାବେଳେ ଏଥିପାଇଁ ଅନଲାଇନ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି। ଆଜି ସନ୍ଧ୍ୟା ୬ଟା ପରଠାରୁ ସ୍ଲଟ୍ ବୁକିଂ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମର ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଟିକାକରଣକୁ ସୁରୁଖୁରୁରେ ପରିଚାଳନା ପାଇଁ ଜନସାଧାରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ପାଳନ ପୂର୍ବକ ଟିକାକରଣ କେନ୍ଦ୍ରକୁ ଆସିବାକୁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।