ଯଦି ହାଇକମାଣ୍ଡ କହିବେ, ମୁଁ ଇସ୍ତଫା ଦେବି: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,ଏଜେନ୍ସି: ହାଇକମାଣ୍ଡ ଆତ୍ମବିଶ୍ୱାସର ସହ ମତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ଯଦି ହାଇକମାଣ୍ଡ କହିବେ, ତେବେ ମୁଁ ଇସ୍ତଫା ଦେବି।’ କର୍ଣ୍ଣାଟକ ବିଧାନସୌଧ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା।

ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆହୁରି ମଧ୍ୟ କହିଛନ୍ତି, ହାଇକମାଣ୍ଡ ଯେ ପର୍ଯ୍ୟନ୍ତ ମୋତେ କ୍ଷମତାରେ ରହିବାକୁ କହିବେ ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବି। ଯଦି ସେ ମୋ ଇସ୍ତଫା ଚାହିଁବେ ତେବେ ମୁଁ ତୁରନ୍ତ ଇସ୍ତଫା ଦେବି। ହେଲେ ବିଜେପି ହାଇକମାଣ୍ଡଙ୍କ ମୋ ଉପରେ ବିଶ୍ୱାସ ରହିଛି। ନେତୃତ୍ୱ ପରିବର୍ତ୍ତନ ନେଇ ମୁଁ କୌଣସି ପ୍ରତିକ୍ରିୟା ଦେଇନାହିଁ। ମୁଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବି। ଏଣୁ ନେତୃତ୍ୱ ପରିବର୍ତ୍ତନ ନେଇ ଆମ ଦଳରେ କୌଣସି ଦ୍ୱନ୍ଦ ନାହିଁ। ହାଇକମାଣ୍ଡ ମୋତେ ଗୋଟିଏ ସୁଯୋଗ ଦେଇଛନ୍ତି ଯାହା ମୁଁ ରକ୍ଷା କରିବାକୁ ଚେଷ୍ଟା କରିବି।

ଏଥିସହ ମୁଁ କାହାର କୌଣସି ସମାଲୋଚନା ବିଷୟରେ କହୁନାହିଁ। ରାଜ୍ୟରେ ମୋର କେହି ବିକଳ୍ପ ନଥିବା ପ୍ରସଙ୍ଗରେ ମୁଁ ଆଦୌ ସହମତ ନୁହେଁ। ପ୍ରତ୍ୟେକ ରାଷ୍ଟ୍ର ଏବଂ ରାଜ୍ୟରେ ସର୍ବଦା ବିକଳ୍ପ ରହିଥାଏ। ଯେ ପର୍ଯ୍ୟନ୍ତ କେନ୍ଦ୍ର ମୋ ଉପରେ ବିଶ୍ୱାସ ରଖିଛି, ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ମୁଁ ମୋର କାର୍ଯ୍ୟ ଚଳାଇବି ବୋଲି ୟେଦୁରପ୍ପା ପ୍ରକାଶ କରିଛନ୍ତି। ସୂଚନାଥାଉ କି, କର୍ଣ୍ଣାଟକରେ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ ନେଇ ଦ୍ୱନ୍ଦ ଲାଗି ରହିଛି। ଯାହାକୁ ଭିତ୍ତିହୀନ ବୋଲି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ସ୍ପଷ୍ଟ କରିଛନ୍ତି।